ବ୍ୟାଟେରୀ ଚାଳିତ ଅଟୋରେ ଶ୍ରୀଜଗନ୍ନାଥ ସଂସ୍କୃତି କଳାକୃତି ଗ୍ୟାଲେରୀ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ | ଭୁବନେଶ୍ୱରସ୍ଥିତ କଳାଭୂମି- ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ ପରିସରରେ ଥିବା ଗ୍ୟାଲେରୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗ୍ୟାଲେରିରେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ଓଡିଶାର ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶିତ ହୋଇଛି । ଅନେକ ପଟ୍ଟଚିତ୍ର, କତା, ପିପିଲି ଚାନ୍ଦୁଆ, ଟେରାକୋଟା, ସୋଲାପୀଠ, ପିତ୍ତଳ ସାମଗ୍ରୀ, ବିଭିନ୍ନ ପ୍ରକାରର ଧାତୁରେ ନର୍ମିତ ହସ୍ତଶିଳ୍ପର ଅନନ୍ୟ କାରୁକାର୍ଯ୍ୟ ଏଠାରେ ସ୍ଥାନ ପାଇଛି ।
ନୂତନ ଗ୍ୟାଲେରୀରେ ପ୍ରଭୁ ଜଗନ୍ନାଥଙ୍କର ୬ ଟି ମୁଖ୍ୟ ବେଶ ପ୍ରଦର୍ଶିତ ହୋଇଛି । ଜଗନ୍ନାଥଙ୍କର ଦୁର୍ଲଭ ରଘୁନାଥ ବେଶ ମଧ୍ୟ ସ୍ଥାନିତ ହୋଇଛି । ଏହାଛଡା ଦୁଇଟି ପୁରାତନ ନୃତ୍ୟଶୈଳୀ ଓ ନୈପୁଣ୍ୟ ‘ମାହାରୀ’ ଓ ‘ଗୋଟିପୁଅ’ ମଧ୍ୟ ସ୍ଥାନିତ ହୋଇଛି । ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ପଦ୍ମିନୀ ଦିଆନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍. ବାଲ୍କି୍ରଷ୍ଣନ୍, 5-T ସଚିବ ଭି.କେ. ପାଣ୍ଡିଆନ୍, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।