ପୁରୀ(ଏନଏନଏସ୍): ଆଜି ମହାପ୍ରଭୁଙ୍କ ଅଣସର ସେବାର ପଞ୍ଚମ ଦିନ । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଏବେ ଜ୍ଵରରେ ପୀଡିତ ଅଛନ୍ତି । ଏନେଇ ଅଣସର ପିଣ୍ଡିରେ ପାରମ୍ପରିକ ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କ ଗୁପ୍ତ ଉପଚାର କରୁଛନ୍ତି ଦଇତାପତି ସେବାୟତ । ଅନ୍ୟପଟେ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଆଜି ଲାଗି ହେବ ଫୁଲୁରୀ ତେଲ। ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ତେଲ ପ୍ରସ୍ତୁତି କରାଯାଇଥାଏ। ବଡ଼ ଓଡ଼ିଆ ମଠ ପକ୍ଷରୁ ଚତୁର୍ଦ୍ଧାବିଗ୍ରହଙ୍କ ଲାଗି ଏହି ଫୁଲୁରି ତେଲ ଯୋଗାଇ ଦିଆଯିବ ।
ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ଏହି ତେଲ ବର୍ଷକ ତଳୁ ଘଣା ପେଡ଼ା ରାଶି ତେଲରେ ବିଭିନ୍ନ ପ୍ରକାର ସୁବାସିତ ଫୁଲ, କର୍ପୁର, ଔଷଧୀୟ ଚେରମୂଳ ଓ ସୁବାସିତ ଦ୍ରବ୍ୟ ପଡ଼ି ଏହାକୁ ମାଟି ତଳେ ପୋତାଯାଇ ପ୍ରସ୍ତୁତ କରାଯାଇଥାଏ । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପର୍ଣ୍ଣ ପରେ ପତି ମହାପାତ୍ର ସେବକ ଏହାକୁ ସଂସ୍କାର କରି ଦଇତାପତିଙ୍କୁ ଯୋଗାଇ ଦେବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମର୍ଦନ କରିବେ । ଶନିବାର ଠାରୁ ମହାପ୍ରଭୁଙ୍କୁ ଓଷ ଲାଗି ହେବ। ସେପଟେ ଅଣସର ସମୟରେ ଦୁଇ ବେଳା ମହାପ୍ରଭୁଙ୍କ ପଣା ଭୋଗ ଓ ଚକଟା ଭୋଗ ଅର୍ପଣ କରିବା ବିଧି ରହିଛି।