ଉପରମୁହାଁ ତେଲ ଦର | ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଅସହ୍ୟ ହେଲାଣି ଦରଦାମ ଦରବୃଦ୍ଧି | ଚିନ୍ତାରେ ଉପଭୋକ୍ତା | ଆଜି ପୁଣି ବଢିଛି ତେଲ ଦର । ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଗତ ୯ ଦିନ ଭିତରେ ଲଗାତର ଭାବେ ୮ ଥର ବଢ଼ିଲାଣି ତେଲ ଦର । ତେବେ ଏହି ୯ ଦିନ ମଧ୍ୟରେ ତେଲ ଦର ଲିଟର ପ୍ରତି ୫.୬୦ ଟଙ୍କା ବୃଦ୍ଧି ପାଇଛି। ନୂଆ ବର୍ଦ୍ଧିତ ଦର ବୁଧବାର ସକାଳ ୬ଟାରୁ ଲାଗୁ ହୋଇଛି ।
ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୧.୦୧ ଟଙ୍କା ଓ ଡିଜେଲ ଦର ୯୨.୨୭ ଟଙ୍କା ହୋଇଛି । ଏହା ସହ ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୧୫.୮୮ ଟଙ୍କା ଓ ଡିଜେଲ ୧୦୦.୧୦ ଟଙ୍କା ହୋଇଛି ।ସେହିପରି ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୬.୬୯ ଟଙ୍କା ଓ ଡିଜେଲ ୯୬.୭୬ ଟଙ୍କା ହୋଇଛି । କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୧୦.୫୨ ଟଙ୍କା ଓ ଡିଜେଲ ୯୫.୪୨ ଟଙ୍କା ହୋଇଛି । ନିକଟରେ ୫ ରାଜ୍ୟରେ ନିର୍ବାଚନ ସରିବା ପରେ କ୍ରାଗତ ଭାବେ ତେଲ ଦର ବୃଦ୍ଧି ପାଉଛି। ମାର୍ଚ୍ଚ ୨୨ ପରଠାରୁ ନିୟମିତ ବ୍ୟବଧାନରେ ତେଲ ଦର ବୃଦ୍ଧି ଉପଭୋକ୍ତାଙ୍କୁ ଚିନ୍ତାରେ ପକାଇଛି।
ଭୁବନେଶ୍ୱରରେ ପେଟ୍ରୋଲ୍ ଦର ଲିଟର୍ ପିଛା ୮୬ ପଇସା ଓ ଡିଜେଲ୍ ଲିଟର୍ ପିଛା ୮୫ ପଇସା ବୃଦ୍ଧି ପାଇଛି | ଭୁବନେଶ୍ୱରରେ ଏବେ ପେଟ୍ରୋଲ୍ ଲିଟର୍ ପିଛା ୧୦୭ ଟଙ୍କା ୭୯ ପଇସା ଏବଂ ଡିଜେଲ୍ ଲିଟର୍ ପିଛା ୯୭ ଟଙ୍କା ୫୭ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ତେଲ ଦର ବୃଦ୍ଧିର ପ୍ରଭାବ ପଡିଛି ରାଜ୍ୟ ପରିବହନ ସେବା ଉପରେ | ପୁଣି ବଢ଼ିବ ବସ୍ ଭଡ଼ା । ଏସି ବସରେ କିଲୋମିଟର ପିଛା ୮ ପଇସା, ଏକ୍ସପ୍ରେସ ବସରେ କିଲୋମିଟର ପିଛା ୬ ପଇସା ଓ ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ଲେଖାଏଁ ଭଡା ବୃଦ୍ଧି ପାଇବ ବୋଲି ଜଣାଯାଇଛି |