ଗଞ୍ଜାମ,୦୪.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଆଜିଠାରୁ ଆରମ୍ଭ ହେଉଛି ଗଞ୍ଜାମର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଦୁଇ ବର୍ଷରେ ଥରେ ଏହି ଯାତ୍ରା ହେଉଥିବା ବେଳେ କୋଭିଡ କଟକଣା ପାଇଁ ଗତବର୍ଷ ଏହି ଯାତ୍ରା ଧୂମଧାମରେ ପାଳିତ ହୋଇପାରି ନଥିଲା । କିନ୍ତୁ ଏଥର କଟକଣା କୋହଳ ଥିବାରୁ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଧୂମଧାମରେ ପାଳିତ ହେବାକୁ ଯାଉଛି ।
ଆଜି ମଧ୍ୟରାତ୍ରରେ ମା’ ଆସିବେ ବାପ ଘରକୁ । ଦେଶୀ ବେହେରା ସାହିରେ ଥିବା ଅସ୍ଥାୟୀ ମଣ୍ଡପରେ ପୂଜା ପାଇବେ ମା’ । ଦୀର୍ଘ ଏକ ମାସ ଧରି ବାପ ଘରେ ରହି ପୂଜା ପାଇବେ । ଏହି ଯାତ୍ରାରେ ଖାଲି ଗଞ୍ଜାମ ଜିଲ୍ଲା ନୁହେଁ ରାଜ୍ୟର ବିଭିନ୍ନ ଜାଗା, ଏପରିକି ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ । ତେଣୁ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯାଇଛି ।