ଆମେ ଅନେକ ସମୟରେ ଦେଖିଛେ ଘର ନିର୍ମାଣ ପାଇଁ ଲୋକେ ବହୁତ ବଡ ବଡ଼ ଗଛ କାଟି ଦେଇଥାନ୍ତି । ଏହି କାରଣରୁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି । କିନ୍ତୁ ଆମେ ଆଜି ଆପଣଙ୍କୁ ଗଛ ନକାଟି ୪ ମହଲା କୋଠା ନିର୍ମାଣ କରାଯାଇଥିବା ସମ୍ପର୍କରେ ଜଣାଇବୁ ।
ଏହି ଘର ଦେଖି ଆପଣ ଘର ମାଲିକଙ୍କୁ ପ୍ରଶଂସା ନ କରି ରହିପାରିବେନି । ଜଣେ ଆଇଆଇଟି ଇଞ୍ଜିନିୟର କୂଳ ପ୍ରଦୀପ ସିଂ ୨୦୦୦ ମସିହାରେ ଏହି ଘର ନିର୍ମାଣ କରିଛନ୍ତି । ଏହାର ଚର୍ଚ୍ଚା ଏବେ ସାରା ବିଶ୍ୱରେ ହେଉଛି । ସେ ରାଜସ୍ଥାନର ଉଦୟପୁରରେ ଏକ ୪ ମହଲା କୋଠା ନିର୍ମାଣ କରିଛନ୍ତି ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୮୦ ବର୍ଷର ପୁରୁଣା ଆମ୍ବଗଛକୁ ନକାଟି ସେ ଗଛ ଉପରେ ଏହି ଘର ନିର୍ମାଣ କରିଛନ୍ତି । ଏହି ଘର ଟ୍ରି ହାଉସ୍ ନାଁରେ ମଧ୍ୟ ଜଣାଶୁଣା ।
ତେବେ ଆପଣ ଭାବୁଥିବେ ଏହା କାଠରେ ନିର୍ମିତ ଘର ବୋଲି, ଯେମିତି ଜଙ୍ଗଲରେ ରହୁଥିବା ଲୋକ ନିର୍ମାଣ କରନ୍ତି । କିନ୍ତୁ ଆମେ ଆପଣଙ୍କୁ ଜଣାଇଦେଉଛୁ ଯେ, ଏହା ଏକ ଫୁଲ ଫର୍ନିସଡ ଘର । ଯେଉଁଥିରେ ସବୁ ପ୍ରକାର ସୁବିଧା ରହିଛି ।
ଏହି ଘରକୁ ନିର୍ମାଣ କରିବା ପାଇଁ ପ୍ରକୃତିପ୍ରେମୀ କୂଳ ପ୍ରଦୀପ ସିଂ ଗଛର ଗୋଟିଏ ବି ଡାଳ କାଟି ନାହାନ୍ତି । ସେ ଗଛର ଡାଳ ହିସାବରେ ତାଙ୍କ ସ୍ୱପ୍ନର ଘରକୁ ଡିଜାଇନ୍ କରିଛନ୍ତି । ଏହି ଘରେ ଶୋଇବା ଘର, ରୋଷେଇଘର, ବାଥ୍ରୁମ୍, ଡାଇନିଙ୍ଗ ଏବଂ ଲାଇବ୍ରେରୀ ସହ ସମସ୍ତ ପ୍ରକାର ସୁଖ ସୁବିଧା ରହିଛି ।