ସାଧରଣତଃ ପୂର୍ବତନ ଛାତ୍ରଛାତ୍ରୀମାନେ ତାଙ୍କ ଶିକ୍ଷାନୁଷ୍ଠାନକୁ ଦାନ କରିଥାନ୍ତି | କିନ୍ତୁ ଜଣେ ପୂର୍ବତନ ଛାତ୍ର ତାଙ୍କ ଶିକ୍ଷାନୁଷ୍ଠାନକୁ ଏତେ ପରିମାଣର ଦାନ କରିଛନ୍ତି, ଯାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ | ଦାନର ପରିମାଣ ୧୦ ଲକ୍ଷ, ୫୦ ଲକ୍ଷ କି କୋଟିଏ ଟଙ୍କା ନୁହେ | ଏକାଥରକେ ଶହେ କୋଟି ଟଙ୍କା ଦାନ କରିଛନ୍ତି ଜଣେ ପୂର୍ବତନ ଛାତ୍ର | ଆଇଆଇଟି -କାନପୁରକୁ ପୂର୍ବତନ ଛାତ୍ର ଜଣକ ଦାନ କରିଛନ୍ତି ଶହେ କୋଟି ଟଙ୍କା | ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠାନର ଇତିହାସରେ ଜଣେ ପୂର୍ବତନ ଛାତ୍ରଙ୍କ ଦ୍ୱାରା ଏହା ହେଉଛି ସର୍ବ ବୃହତ ଆର୍ଥିକ ସହାୟତା | ଏହି ଅର୍ଥ ବିଦ୍ୟାଳୟର ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବିକାଶରେ ସାହାଯ୍ୟ କରିବାକୁ ଦିଆଯାଇଛି |
ଚାଲନ୍ତୁ ଜାଣିବା କିଏ ଏହି ଦାନବୀର ? ଇଣ୍ଡିଗୋ ଏୟାରଲାଇନ୍ସର ସହ-ପ୍ରତିଷ୍ଠାତା ତଥା ବିଲିୟନେୟାର ବ୍ୟବସାୟୀ ରାକେଶ ଗାଙ୍ଗୱାଲ ଆଇଆଇଟି-କାନପୁରକୁ ଏତେ ପରିମାଣର ରାଶି ଦାନ କରିଛନ୍ତି | ଏହି ଅର୍ଥ ରାଶି କ୍ୟାମ୍ପସରେ ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣରେ ମଧ୍ୟ ବ୍ୟବହୃତ ହେବ |
ରିପୋର୍ଟ ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୫୦ କୋଟି ଟଙ୍କା ସଂଗ୍ରହ କରାଯାଇଛି।ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଅଭୟ କରାଣ୍ଡିକର କହିଛନ୍ତି ଯେ, ରାକେଶ ଗାଙ୍ଗୱାଲଙ୍କ ଆର୍ଥିକ ସହାୟତା ପ୍ରତିଷ୍ଠିତ ସ୍କୁଲ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ।