ବଢୁଛି ବେଆଇନ୍ ମଦ କାରବାର | ଗାଁ ଗହଳିରେ ବିକ୍ରି ହେଉଛି ଚୋରା ମଦ | ଚା ଦୋକାନଠାରୁ ଆରମ୍ଭ କରି ପାନ ଦୋକାନ ଏବଂ ତେଜରାତି ଦୋକାନରେ ମିଳୁଛି ମଦ | କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକରେ ଚାଲିଛି ବେଆଇନ୍ ମଦ ବେପାର | ସରକାରୀ ନିୟମ କାନୁନ ଉଲଙ୍ଘନ କରି ବ୍ୟବସାୟୀମାନେ ଖୋଲିଛନ୍ତି ସରକାରୀ ମଦ ଦୋକାନ | ଏପରିକି ଅନେକ ସରକାରୀ ମଦ ଦୋକାନୀମାନେ ଗାଁ ଗାଁରେ ଚୋରା ମଦ ବ୍ୟବସାୟକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥଶର୍ମା ।
ନିଶା ଯୋଗୁ ଉଜୁଡିଯାଉଛି ଅନେକ ପରିବାର | ପରିବାର ଭିତରେ ସବୁବେଳେ ଦେଖାଦେଉଛି ଅଶାନ୍ତି | ଘରର ପୁରୁଷମାନେ ଯାହା ରୋଜଗାର କରୁଛନ୍ତି ନିଶାପାଣିରେ ଉଡାଇ ଦେଉଛନ୍ତି | ଫଳରେ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡୁଛି ମହିଳାଙ୍କୁ | ତେଣୁ ଏସବୁ ବେଆଇନ୍ ମଦ କାରବାର ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥଶର୍ମା ।