ଆଜି ଥିଲା ପ୍ରାର୍ଥୀପତ୍ର ଯାଞ୍ଚ। ବିଭିନ୍ନ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ନିଜନିଜ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିଲେ।ପ୍ରାର୍ଥୀପତ୍ରରେ ଥିବା ତ୍ରୁଟି ବିଚ୍ୟୁତି ଯୋଗୁଁ ୩ଜଣ ପ୍ରାର୍ଥୀଙ୍କୁ ବାଦ ଦିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ସଂଶୋଧନ ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ହୋଇଛି। ଆଜି ସକାଳୁ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।ଅନ୍ୟପକ୍ଷରେ ପ୍ରାର୍ଥୀମାନେ ମଧ୍ୟ ନିଜନିଜର ନାମାଙ୍କନ ପତ୍ର ନିର୍ଭୁଲ ଭାବେ ପ୍ରସ୍ତୁତ କରିବା ପାଇଁ ଯତ୍ନବାନ ହୋଇ ଉଠିଥିଲେ। ଏଥିପାଇଁ କେନ୍ଦ୍ରାପଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ଏବଂ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କ୍ରମ ଅନୁସାରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଡକାଯାଇ ସବୁଦଳର ପ୍ରାର୍ଥୀଙ୍କ ଉପସ୍ଥିତିରେ ସେଗୁଡିକୁ ଯାଞ୍ଚ କରାଯାଇଥିଲା। ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପ୍ରଚାର କାର୍ଯ୍ୟ ଜୋରଦାର କରିବା ପାଇଁ ପ୍ରାର୍ଥୀମାନେ ଯୋଜନା ପ୍ରସ୍ତୁତ କରିଛନ୍ତି। ଗୋଟିଏପଟେ ଶାସକ ବିଜୁ ଜନତା ଦଳ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବାକୁ ଅଣ୍ଟା ଭିଡି ଥିବାବେଳେ ବିରୋଧୀ ବିଜେପି ଶାସକ ଦଳର ଦୁର୍ନୀତି,ଗୋବରୀ କେନାଲ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଯୋଜନାକୁ ନେଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛି। କଂଗ୍ରେସ ଏସବୁ ଷ୍ଟ୍ରାଟେଜିକୁ ମାତ୍ ଦେଇ ଜନ୍ମଠୁ ମଶାଣି ଯାଏ ଯୋଜନା ମାଳମାଳ, କାମ ଦୁର୍ବଳ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ ଲକ୍ଷ୍ୟ ରଖିଛି।