ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦ (ଡଲ୍ସ)ର ପଞ୍ଚମ ବାର୍ଷିକ ମହୋତ୍ସବ ଆଭାସି ମଞ୍ଚରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଭର୍ଚ୍ଚୁଆଲ ସମାବେଶରେ ଦେଶର ବହୁ ବରେଣ୍ୟ ସାହିତ୍ୟ ସାଧକ ଓ ସାଧିକା ଯୋଗଦେଇଥିଲେ । ସାରସ୍ୱତ ସମାରୋହରେ ପ୍ରଖ୍ୟାତ ସାହିତ୍ୟିକା ବନଜ ଦେବୀ ଏବଂ ପ୍ରତିଭା ଶତପଥୀ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ ପଚାଶରୁ ଊର୍ଦ୍ଧ୍ୱ କବି ଓ କବୟତ୍ରୀ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ବିଖ୍ୟାତ ଲେଖିକା ତଥା ଡଲ୍ସର ସଭାନେତ୍ରୀ ଡଃ ଅନୀତା ପଣ୍ଡା ଉତ୍ସବର ଅଧ୍ୟକ୍ଷତା କରିଥିଲେ | କରୋନା ମହାମାରୀ ଯୋଗୁ ବନ୍ଦ କୋଠରୀ ମଧ୍ୟରେ ଥାଇ ମଧ୍ୟ ବିଶ୍ୱବିଦିତ ସାହିତ୍ୟିକମାନଙ୍କ ଲେଖାକୁ ସଂଗ୍ରହ କରି ପ୍ରକାଶ କରାଯାଇଥିବା ଉପହାର, ଅମୃତ ସନ୍ଧାନୀ ମନୋଜ ଏବଂ ଆମ ଜୀବନରେ କବି ରମାକାନ୍ତ ଆଦି ତିନୋଟି ପୁସ୍ତକ ଡଲ୍ସର ସଫଳତାର ସ୍ୱାକ୍ଷର ବହନ କରିଥିବା ଡଃ ପଣ୍ଡା ଦର୍ଶାଇଥିଲେ ।
ପ୍ରବାସରେ ରହି ନିଜର ମାତୃଭାଷାକୁ ପ୍ରଚାର, ପ୍ରସାର ଏବଂ ଲୋକପ୍ରିୟ କରିବାରେ ଡଲ୍ସର ପ୍ରୟାସ ଅଭିନନ୍ଦନୀୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ବାର୍ତ୍ତା ସଭାରେ ପାଠ କରାଯାଇଥିଲା । ଭାରତୀ ଭୁଷଣ ପଟ୍ଟନାୟକ, ଚମକ ଚାନ୍ଦିନୀ ଦାଶ ଓ ସୌଦାମିନୀ ସାମନ୍ତରାୟଙ୍କ ଦ୍ୱାରା ମନଲୋଭା ସଂଗୀତ ପରିବେଷଣ କରାଯାଇଥିଲା ।