ରାଜ୍ୟର ବହୁ ଚର୍ଚ୍ଚିତ ମମିତା ମେହେର ମାମଲାରେ ଏବେ ଆସିଛି ଏକ ନୂଆ ଟ୍ୱିଷ୍ଟ । ମମିତାଙ୍କୁ ନ୍ୟାୟ ଦେବା ପାଇଁ ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କଳା କୋର୍ଟ ପିନ୍ଧିଥିବା ବେଳେ ବାପାଙ୍କ ବିରୋଧରେ ପୁଅ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ଲଢୁଛନ୍ତି ମାମଲା । ମମିତା ହତ୍ୟା ଘଟଣାରେ ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାରେ ପୋଲିସର ତଦନ୍ତକୁ ଠିକ ବୋଲି ପ୍ରମାଣିତ କରିବା ପାଇଁ ଆଜି କଣ୍ଟାବାଞ୍ଝି କୋର୍ଟରେ ପହଞ୍ଚି ଥିଲେ ପୁଅ ଅମରେନ୍ଦ୍ର ମିଶ୍ର । ମମିତା ମାମଲାର ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକ୍ୟୁଟର ଭାବେ ଆଜି ପ୍ରଥମ ଥର ପାଇଁ କଣ୍ଟାବାଞ୍ଝି କୋର୍ଟରେ ପହଞ୍ଚି ଥିଲେ | କିନ୍ତୁ ଓକିଲ ସଂଘର କାମ ବନ୍ଦ ଆନ୍ଦୋଳନ ଯୋଗୁ କୋର୍ଟ ପ୍ରୋସେସିଂ ହୋଇପାରିନଥିଲା | ମମିତା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାଙ୍କ ସହଯୋଗୀ ମଧ୍ୟ କଣ୍ଟାବାଞ୍ଝି କୋର୍ଟରେ ହାଜର ହୋଇଥିଲେ |
କିଛି ଦିନ ତଳେ ନରସିଂହ ମିଶ୍ର କହିଥିଲେ ଯେ, ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ସେ କଳା କୋଟ ପିନ୍ଧିବେ ଓ ସରକାରଙ୍କୁ ପାଠ ପଢେଇବେ। ମମିତା ହତ୍ୟା ଘଟଣାରେ ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାରେ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ ନରସିଂହ । ଦୀର୍ଘ 8 ବର୍ଷ ପରେ କୋର୍ଟରେ ରଖିଥିଲେ ପକ୍ଷ । ମମିତା ମେହରଙ୍କ ହତ୍ୟା ପଛରେ ଏକ ବଡ ଷଡଯନ୍ତ୍ର ରହିଛି। ମାମଲା ରୁଜୁ କରିବା ପରେ ପୋଲିସ ଠିକ୍ ଭାବେ ତଦନ୍ତ କରିନାହିଁ। ଏହି ହତ୍ୟାକାଣ୍ଡରେ ପୋଲିସ ଯେଉଁ ସବୁ ଧାରା ଲଗାଇଛି ସେଥିରେ ଅଭିଯୁକ୍ତ ଖସିଯିବାର ସମ୍ଭାବନା ଅଧିକ ଅଛି । ପୋଲିସ କେବଳ ଅଭିଯୁକ୍ତ ଓ ସହଯୋଗୀଙ୍କୁ ଗିରଫ କରି ନିଜର ଦାୟିତ୍ୱ ସାରିଦେଇଛି ବୋଲି ନରସିଂହ କହିଛନ୍ତି ।
ଅନ୍ୟପଟେ ସେହି ସମାନ ମାମଲାରେ ନରସିଂହଙ୍କ ବିପକ୍ଷରେ ତାଙ୍କ ପୁଅ ଅମରେନ୍ଦ୍ର ମିଶ୍ର ଲଢୁଛନ୍ତି। ସଂପର୍କରେ ବାପା-ପୁଅ ହୋଇଥିଲେ ମଧ୍ୟ ଦୁହେଁ ପରସ୍ପର ବିରୋଧୀ ମାମଲା ଲଢିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।ଏହି ଘଟଣା ପରେ ମିଶ୍ର ପରିବାରରେ ସୃଷ୍ଟି ହୋଇଛି ଫାଟ |