ମାବାପାଙ୍କ ଠାରୁ କୌଣସି ବଡ ଶବ୍ଦ ନାହିଁ । କି ଏହା ଠାରୁ କିଛି ବଡ ଅର୍ଥ ବି ନାହିଁ । ମା ଆମକୁ ଦୁନିଆକୁ ଆଣିଥାନ୍ତି ସତ ହେଲେ ବାପା ଆମକୁ ଦୁନିଆ ଦେଖାଇଥାନ୍ତି । ଯିଏ ନିଜର ଦୁଃଖକୁ ଲୁଚାଇ ନିଜ ସନ୍ତାନର ସବୁ ଇଚ୍ଛା ପୂରଣ କରନ୍ତି ସେ ହେଲେ ବାପା । କିନ୍ତୁ ଏକ ମଦ୍ୟପ ବାପା ଆଜି ବାପା ନାଁରେ କଳଙ୍କ ବୋଳିଛନ୍ତି । ମଦ୍ୟପାନ କରି ନିଜ ଝିଅକୁ ଦୁଷ୍କର୍ମ କରିବା ନେଇ ମା ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ କେନ୍ଦ୍ରାପଡା ସଦର ପୋଲିସ ଅଭିଯୁକ୍ତ ବାପାଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏକ ଗାଁରେ ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ।
କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏକ ଗାଁର ଏହି ମଦ୍ୟପ ବାପା ଜଣକ ଗତ ଜାନୁଆରୀ ୪ ତାରିଖରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ତାଙ୍କ ମଝିଆ ଝିଅକୁ ଦୁଷ୍କର୍ମ କରିଥିଲେ । ଏହାକୁ ତାଙ୍କ ମା ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାରପିଟ କରିଥିଲେ । ଏ ନେଇ ମହିଳା ଜଣକ ସେହିଦିନ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୁକ୍ତ ବାପା ଘର ଛାଡି ଫେରାର ହୋଇଯାଇଥିଲେ । ଗତ କିଛି ଦିନ ତଳେ ଅଭିଯୁକ୍ତ ଜଣକ ଘରକୁ ଆସିଥିବା ପୋଲିସ ଖବର ପାଇ ତାଙ୍କୁ ଗିରଫ କରିଛି । କେନ୍ଦ୍ରାପଡା ସଦରଥାନା ଆଇଆଇସି ପବିତ୍ର ମହାରଣା ଅଭିଯୁକ୍ତ ବାପାଙ୍କୁ ଗିରଫ କରି କେନ୍ଦ୍ରାପଡା ସ୍ବତନ୍ତ୍ର ପୋକ୍ସୋ କୋର୍ଟକୁ ପଠାଇ ଦେଇଛନ୍ତି । ପୋକ୍ସୋ କୋର୍ଟର ବିଚାରପତି IPC ର ଦଫା ୨୯୪, ୩୫୪,୩୭୬,୫୧୧ ଓ ୧୦ ପୋକ୍ସୋ ଆକ୍ଟରେ ଗିରଫ ଅଭିଯୁକ୍ତ ବାପାଙ୍କ ଜାମିନ ଖାରଜ କରି କୋର୍ଟ ହାଜତକୁ ପଠାଇ ଦେଇଥିବା କେନ୍ଦ୍ରାପଡା କୋର୍ଟର ସରକାରୀ ଓକିଲ ମନୋଜ ସାହୁ ସୂଚନା ଦେଇଛନ୍ତି । ମହିଳା ଥାନାରେ ଦେଇଥିବା ଏତେଲାରେ ଦର୍ଶାଇଛନ୍ତି ଯେ, ତାଙ୍କ ସ୍ୱାମୀ ଦୀର୍ଘ ୧୦ ବର୍ଷ ହେବ ଘରଛାଡି ବାହାରେ ରହୁଛନ୍ତି । ମଝିରେ ମଝିରେ ଘରକୁ ଆସି ମଦ ପିଇବାକୁ ଟଙ୍କା ମାଗି ପିଟାମରା କରନ୍ତି ।