ବାତ୍ୟା ଜୱାଦ ପ୍ରଭାବରେ ପ୍ରବଳ ବର୍ଷା ଚାଷୀଙ୍କ ମୁହଁରୁ ଛଡାଇନେଇଛି ବର୍ଷକର ଆହାର l ଚାଷୀଙ୍କ ଫସଲ ସମ୍ପୂର୍ଣ ନଷ୍ଟ ହୋଇଯାଇଛି l ଧାରାକରଜ ଏବଂ ଋଣ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ପଡିଛି ଚଡକ l ସବୁ ଫସଲ ଉଜୁଡି ଯାଇଥିବାରୁ ଚାଷୀଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି l ଚାଷୀଙ୍କୁ ଏହି ବିପଦରୁ ଉଦ୍ଧାର କରିବା ପାଇଁ ଏକମାତ୍ର ଉପାୟ ହେଲା ସରକାରୀ ସହାୟତା l କ୍ଷତିଗ୍ରସ୍ତ ଚାଷୀଙ୍କୁ ସତ ପ୍ରତିଶତ ସହାୟତା ଯୋଗାଇଦେବା ଲାଗି ଆଜି ଏକଜୁଟ ହୋଇଛନ୍ତି ଚାଷୀଭାଇ l ସରକାରଙ୍କ ପକ୍ଷରୁ ଉଚିତ କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ନବନିର୍ମାଣ କୃଷକ ସଂଗଠନ | ଏଭଳି ଆଜି ଚରମ ଚେତାବନୀ ଶୁଣାଇଛି ନାଉଗାଁ ସଂଗଠନ |
ନାଉଗାଁ ତହସିଲ୍ ପାଖ ପଡିଆ ରେ ସଂଗଠନ ର ସମସ୍ତ ସଦସ୍ୟ ଏକଜୁଟ ହୋଇଥିଲେ | ବର୍ଷା ଯୋଗୁ ନଷ୍ଟ ହୋଇଯାଇଥିବା ପାଚିଲା ଧାନ ଫସଲର କ୍ଷତି ଆକଳନ କରି ତୁରନ୍ତ ଚାଷୀକୁ କ୍ଷତି ପୂରଣ ଦେବାକୁ ଦାବି କରିଛି ସଂଗଠନ | ବିଲରେ ବର୍ଷା ପାଣି ଲହଡ଼ା ମାରୁଥିବାବେଳେ ଧାନ ଗଜା ବାହାରି ଗଲାଣି | ଉପଯୁକ୍ତ ତଦନ୍ତ କରି ଚାଷୀକୁ କ୍ଷତି ପୂରଣ ଦେବା ସହ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ତା କରିବାକୁ ଜିଲ୍ଲପାଳଙ୍କୁ ଲିଖିତ ଭାବେ ଦାବି କରିଛି ଏହି ସଂଗଠନ | ଯଦି ପ୍ରଶାସନ ପକ୍ଷରୁ କୌଣସି ଟାଳଟୁଳ ନୀତି ଅବଲମ୍ବନ କରାଯାଏ ତେବେ ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି | ସୂଚନା ଥାଉକି, ନାଉଗାଁ ବ୍ଲକ ଅଞ୍ଚଳରେ 90 ପ୍ରତିଶତ ପାଚିଲା ଧାନ କଟା ନ ଯାଇ କ୍ଷେତରେ ରହିଛି l ବିଭିନ୍ନ ଗ୍ରାମର ଖାଲୁଆ ଅଞ୍ଚଳରେ ଧାନ ଗୁଡିକ ଶୋଇଯାଇଥିବା ବେଳେ ସେଥିରେ ଗଜା ସୃଷ୍ଟି ହେବାରେ ଲାଗିଲାଣି l