ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ୨ ଜଣ କୃଷକ ନେତାଙ୍କୁ ଗିରଫ କରିଛି | କୃଷକ ନେତାଙ୍କୁ ଗିରଫ ପ୍ରତିବାଦରେ ତେଜୁଛି ଚାଷୀ ଆନ୍ଦୋଳନ | ଆଜି ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ଏକଜୁଟ ହୋଇ ପ୍ରଶାସନ ବିରୋଧରେ ଦେଇଛନ୍ତି ରଣହୁଙ୍କାର | ପଟ୍ଟାମୁଣ୍ଡାଇ ତହହସିଲଦାରଙ୍କ ବିରୋଧରେ ତଦନ୍ତ କରାଯାଇ ତାଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯିବାକୁ ଦାବି ହୋଇଛି । ଏଥିସହିତ ଗିରଫ କୃଷକ ନେତାଙ୍କୁ ଜଲଦି ଖଲାସ କରିବାକୁ କୃଷକ ସଂଗଠନ ଦାବି କରିଛି ।
ବେଆଇନ୍ ଇଟା ନିର୍ମାଣ ଦ୍ବାରା କ୍ଷତିଗ୍ରସ୍ତ କୃଷକମାନଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିପୂରଣ ଦିଆଯାଉ । ଏହ ସବୁ ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ୭ ଦିନ ସମୟ ଦେଇଛନ୍ତି ଆନ୍ଦୋଳନକାରୀ । ପ୍ରଶାସନ ଏହି ଘଟଣାରେ ଉପଯୁକ୍ତ ପଦକ୍ଷେପ ନନେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଧମକ ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଦାବିପତ୍ର ନେବାକୁ କେନ୍ଦ୍ରାପଡା ତହସିଲଦାର ଆସିଥିବାବେଳେ ତାଙ୍କୁ ଫେରାଇ ଦେଇଥିଲେ ଆନ୍ଦୋଳନକାରୀ । ପରେ କେନ୍ଦ୍ରାପଡା ଉପଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ନିକଟରୁ ଦାବିପତ୍ର ଗ୍ରହଣ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏହି ଘଟଣାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ପୃକ୍ତି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ଜିଲ୍ଲାରେ ବେଆଇନ ଇଟାଭାଟି ଉପରେ ଚଢାଉ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ସୂଚନା ଥାଉକି , ଚାଷ ଜମିରେ ବେଆଇନ ଇଟା ଭାଟି ଚାଲିଥିବାବେଳେ ବାରମ୍ବାର ଚାଷୀମାନେ ତହସିଲଦାରଙ୍କୁ ଭେଟି ଲିଖିତ ଅଭିଯୋଗ ସହ ଧାରଣାରେ ମଧ୍ୟ ବସିଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଚାଷୀମାନେ ଉତ୍କ୍ଷିପ୍ତ ହୋଇ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।