ବାତ୍ୟା ଜବାଦ ଯୋଗୁ ନଷ୍ଟ ହୋଇଯାଇଥିଲା ବହୁ ଫସଲ | ବାତ୍ୟା ପ୍ରଭାବରୁ ଯାହା କିଛି ଫସଲ ବଞ୍ଚି ଯାଇଥିଲା ଚାଷୀ ତାକୁ ଅତି ଯତ୍ନର ସହ ସାଇତି ରଖିଥିଲା | ମଣ୍ଡିରେ ଧାନ ବିକ୍ରି କରି ଦୁଇ ପଇସା ରୋଜଗାର କରିବାର ଆଶା ରଖିଥିଲା ଚାଷୀ | କିଛି ନହେଲେ ଚାଷ ପାଇଁ ହୋଇଥିବା ଖର୍ଚ ଉଠିଯିବ ବୋଲି ଚିନ୍ତା କରିଥିଲା ଚାଷୀ | ଚାଷୀ ମଣ୍ଡିରେ ଧାନ ଗଦା କରି ଦିନ ରାତି ଅପେକ୍ଷା କରି ରହିଛି | ଟୋକନର ଅବଧି ସମୟ ଶେଷ ହେବାକୁ ବସିଲାଣି, ହେଲେ ମିଳୁନି ମିଲର୍ସଙ୍କ ଦେଖାଦର୍ଶନ | 70 ପ୍ରତିଶତ ଚାଷୀଙ୍କ ଧାନ ବିକ୍ରି ନହୋଇ ମଣ୍ଡିରେ ପଡ଼ିରହିଛି | ଧାନ ବିକ୍ରି କରିନପାରି ଚାଷୀ ଏବେ ହତାଶ | ମଣ୍ଡିର ଅବ୍ୟବସ୍ଥା ନେଇ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପ୍ରାଥମିକ କୃଷି ସମବାୟ ସମିତି ଓ ଡେରିକି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି l
ଅଲଣା ସମବାୟରେ ଧାନ ନଉଠିବା ପ୍ରତିବାଦରେ ରାସ୍ତାରୋକୋ କରିଥିଲେ ଚାଷୀ | ଶିଖରବାଲି – ଭଉଁରୀ ରାସ୍ତା ଉପରେ ଧାନ ବସ୍ତା ରଖି ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ l ଘଟଣାସ୍ଥଳରେ ନାଉଗାଁ ପୋଲିସ ଓ ଯୋଗାଣ ବିଭାଗ ଅଧିକାରୀ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l ସେହିପରି ଡେରିକି ସମବାୟ ଚାଷୀମାନେ ସମବାୟର ସମସ୍ତ କର୍ମଚାରୀଙ୍କୁ ତାଲା ପକାଇ ଦୀର୍ଘ ସମୟ ଧରି ଅଟକ ରଖିଥିଲେ l ଏହି ଦୁଇଟି ମଣ୍ଡିରେ ପ୍ରାୟ 30 ଭାଗ ଚାଷୀ ଧାନ ବିକ୍ରି ହୋଇଥିବା ବେଳେ ଆହୁରି 70 ଭାଗ ଚାଷୀଙ୍କ ଧାନ ବିକ୍ରି ନହୋଇ ପଡି ରହିଛି l ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି |