ରାଜରାସ୍ତାରେ ଚାଷୀ | ନିଜର ହକ ପାଇଁ ରାସ୍ତା ଉପରେ ବସିଛନ୍ତି ଚାଷୀ | ବିକ୍ରି ହୋଇନପାରି ଘରେ ପଡି ରହିଛି ଧାନ | ମଣ୍ଡି ଜରିଆରେ ଧାନ କିଣିବାର ହେଉନି ବ୍ୟବସ୍ଥା | | ଏହାର ପ୍ରତିବାଦରେ ରାସ୍ତା ଉପରେ ଧାନବସ୍ତା ରଖି ରାସ୍ତାରୋକ କରିଛନ୍ତି ଚାଷୀ | ସମବାୟ ସମିତି ସମ୍ପାଦକ ଓ ମିଲରଙ୍କ ମନମୁଖୀ କାରବାରକୁ ବିରୋଧ କରି ଚାଷୀମାନେ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନ | ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର କଟକ -ଚାନ୍ଦବାଲି ମୁଖ୍ୟ ରାସ୍ତାରେ | ରାସ୍ତା ଅବରୋଧ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା ଶହ ଶହ ଗାଡି |
ଆନ୍ଦୋଳନରତ ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ବାଲିଆପଦା ସେଵା ସମବାୟ ସମିତି ଚାଷୀମାନଙ୍କଠାରୁ ଧାନ କ୍ରୟ କରୁନାହିଁ | ସମବାୟ ସମିତି ସମ୍ପାଦକ ଓ ମିଲରଙ୍କ ମନମୁଖୀ କାରବାର ଯୋଗୁ ଶହ ଶହ ଚାଷୀଙ୍କ ଧାନ ବିକ୍ରି ନହୋଇ ପଡ଼ିରହିଛି | ବାରମ୍ବାର ଗୁହାରି ପରେ ବି ବ୍ଲକ ଯୋଗାଣ ବିଭାଗ, ସମବାୟ ବିଭାଗ ତଥା ପ୍ରଶାସନ ଏଥିପ୍ରତି ଦେଉନାହାନ୍ତି ଗୁରୁତ୍ୱ | ଏଣେ ଧାନ ବିକ୍ରି କରିନପାରି ଚାଷୀ ଚିନ୍ତାରେ ପଡିଛି | ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।