ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଚଳଚଞ୍ଚଳ ହୋଇଉଠିଛି କେନ୍ଦ୍ରାପଡାର ଇନ୍ଦୁପୁର ଅଞ୍ଚଳ। ତିନୋଟି ନଦୀର ପବିତ୍ର ସଙ୍ଗମ ସ୍ଥଳରେ ଆଜି ସକାଳୁ ବୁଡ଼ ପକାଇଛନ୍ତି ଶତାଧିକ ଶ୍ରଦ୍ଧାଳୁ | ପରେ ଭକ୍ତମାନେ ମା’ ଚଣ୍ଡୀଙ୍କ ଦର୍ଶନ ପାଇଁ ଲାଗିଥିଲା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ । ବ୍ରାହ୍ମଣୀ, ବିରୂପା ଓ କେଲୁଅ ଭଳି ପବିତ୍ର ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାଇଲେ ସମସ୍ତ ପାପ ନାଶ ହେବା ସହ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ କରନ୍ତି ଶ୍ରଦ୍ଧାଳୁ | ଯେଉଁଥିପାଇଁ ଆଜି ସକାଳୁ ପବିତ୍ର ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ସହ କରିଥିଲେ ମା’ ଚଣ୍ଡୀ ଦେବୀଙ୍କ ଦର୍ଶନ | କେବଳ ସେତିକି ନୁହେଁ, ସଙ୍ଗମ ସ୍ଥଳରେ ବିବାହ ମୁକୁଟ ଏବଂ ପଉଡ଼ ମସିଣାକୁ ବିସର୍ଜ୍ଜନ କରିବା ପାଇଁ କାହିଁ କେତେଦୂରରୁ ଛୁଟିଥିଲା ଭକ୍ତଙ୍କ ସୁଅ।
ଚୈତ୍ର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ହୋଇଥାଏ ମା’ ଚଣ୍ଡୀ ଦେବୀଙ୍କ ବାରୁଣୀ ସ୍ନାନ। ଏହିଦିନ ପ୍ରାତଃ ସମୟ ଅର୍ଥାତ ରାତ୍ରର ଚତୁର୍ଥ ପ୍ରହରରେ କେନ୍ଦ୍ରାପଡା ଇନ୍ଦୁପୁର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀଙ୍କ ପାଇଁ ନିକଟସ୍ଥ ତିନି ନଦୀର ସଙ୍ଗମ ସ୍ଥଳରୁ ପାଣି ଅଣାଯାଇ ମା’ଙ୍କୁ ସ୍ନାନ କରାଯାଇଥାଏ | ପରେ ଶ୍ରଦ୍ଧାଳୁ ମାନେ ପବିତ୍ର ନଦୀର ସଙ୍ଗମସ୍ଥଳରେ ବୁଡ଼ ପକାଇଥାନ୍ତି | ଦୀର୍ଘ ଦୁଇବର୍ଷ କାଳ କୋଭିଡ ମହାମାରୀ ପାଇଁ ଏହି ସଙ୍ଗମ ସ୍ଥଳରେ ଭକ୍ତଙ୍କ ସ୍ନାନ ପାଇଁ ବାରଣ କରାଯାଇଥିଲା | ଚଳିତବର୍ଷ କୋଭିଡ କଟକଣା ନଥିବାରୁ ଏହି ପବିତ୍ର ସ୍ନାନ ଓ ଦର୍ଶନର ଲାଭ ଉଠାଇଛନ୍ତି ଭକ୍ତ।
ଗହଳିକୁ ଦୃଷ୍ଟିରେ ରଖି ଗହିରିଆ ଓ କୁମ୍ଭୀରପୂର୍ଣ୍ଣ ନଦୀର ଏହି ସଙ୍ଗମ ସ୍ଥଳରେ ଭକ୍ତଙ୍କ ବୁଡ଼ ପକାଇବା ପାଇଁ ବ୍ୟବସ୍ଥା କରାଯାଇଛି | ସୁରକ୍ଷା ଦୃଷ୍ଟିକୋଣରୁ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବୋଟ ସମେତ ଲାଇଫ ସପୋର୍ଟ ଜ୍ୟାକେଟ ମଧ୍ୟ ମହଜୁଦ ରଖାଯାଇଛି।ପୋଲିସ ପ୍ରଶାସନ ପକ୍ଷରୁ ଏହି ପବିତ୍ର ବାରୁଣୀ ସ୍ନାନ ଓ ମେଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି | ଯାଜପୁରରେ କଟକଣା ଦୃଷ୍ଟିରୁ ବୁଡ଼ ବନ୍ଦ ରହିଥିବା କାରଣରୁ ଏହି ସଙ୍ଗମ ସ୍ଥଳରେ ବୁଡ଼ ସହ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି |