ପାରିବାରିକ କଳହର କରୁଣ ପରିଣତି | ପାରିବାରିକ ବିବାଦ କେତେ ଯେ ଭୟଙ୍କର ହୋଇପାରେ ତାହା ଏଠାରେ ଦେଖିବାକୁ ମିଳିଛି | ପରିବାରରେ ଅଶାନ୍ତି ଯୋଗୁ ଚରମ ନିଷ୍ପତି ନେଇଛନ୍ତି ଏକ ଦମ୍ପତ୍ତି | ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାରୁ ଉଭୟ ବିଷପିଇ କରିଛନ୍ତି ଆତ୍ମହତ୍ୟା | ଦୁହିଁଙ୍କ ମୃତ୍ୟୁ ପରେ ଗୋଟିଏ ଜୁଇରେ ଜଳିଲା ସ୍ବାମୀ ସ୍ତ୍ରୀଙ୍କ ଶବ | ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗାଁରେ । ସ୍ବାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାରା ଜିଲ୍ଲାରେ ଚହଳ ପକାଇଦେଇଛି ।
ଗତ ୨୫ ତାରିଖରେ କଳପଡା ଗାଁର ରବିନ୍ଦ୍ର ବେହେରା ଓ ତାଙ୍କ ଧର୍ମପତ୍ନୀ ଅନସୂୟା ବେହେରାଙ୍କ ମଧ୍ୟରେ ଝଗଡା ହୋଇଥିଲା | ଫଳରେ ଉଭୟ ବିଷ ପିଇଦେଇ ଗାଁ ମୁଣ୍ଡ ବରଗଛ ନିକଟରେ ପଡିଥିଲେ । ସକାଳୁ ସକାଳୁ ଗାଁ ଲୋକେ ସେମାନଙ୍କୁ ଦେଖି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଅବସ୍ଥା ସେମାନଙ୍କର ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡଡାକ୍ତରଖାନାକୁ ନିଆଯାଇଥିଲା । ଗତ ୨୬ ତାରିଖରେ ଅନସୂୟାଙ୍କର ମୃତ୍ୟୁ ଘଟିଥିଲା | ତା ପରଦିନ ୨୭ ତାରିଖରେ ରବିନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ଉଭୟ ସ୍ବାମୀ ସ୍ତ୍ରୀଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମବାସୀ ଉଭୟ ରବିନ୍ଦ୍ର ଓ ଅନସୂୟାଙ୍କ ଶବକୁ ଗୋଟିଏ ଜୁଇରେ ଦାହ କରିଛନ୍ତି ।