କୁବେର ବାବୁ ଜଗନ୍ନାଥ ସେଠୀ | ବିଦ୍ୟୁତ୍ ବିଭାଗର ଜଣେ ଯନ୍ତ୍ରୀ | ହେଲେ ତାଙ୍କ ନାମରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ବିଦ୍ୟୁତ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଆଜି ହୋଇଛି ଭିଜିଲାନ୍ସ ଚଢାଉ | ଆଜି ସକାଳୁ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଜଗନ୍ନାଥଙ୍କ ଅଫିସ୍ ସମେତ ବ୍ରହ୍ମପୁର ଗଜପତି ନଗରରେ ଥିବା ୪ ମହଲା କୋଠା, ୧୧ ନମ୍ବର ଲେନ୍ରେ ଥିବା ୫ ମହଲା ବିଶିଷ୍ଟ କୋଠା, ଭୁବନେଶ୍ୱର ଏମ୍ସ ନଗରରେ ରହିଛି ୪ ମହଲା କୋଠା । ଏହି ଚଢ଼ାଉ ସମୟରେ ବ୍ରହ୍ମପୁର ଘରୁ ଖାଲି ମିଳିଛି ୧୭ ଲକ୍ଷରୁ ଅଧିକ ଟଙ୍କା । ବେଡ ଶେଜ ତଳେ ବିଡ଼ା ବିଡ଼ା ଟଙ୍କା ଲୁଚାଇ ରଖିଥିଲେ ଜଗନ୍ନାଥ । ଜଗନ୍ନାଥଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ । ଯନ୍ତ୍ରୀଙ୍କ ଘର ଦେଖି ଭିଜିଲାନ୍ସ ଆଖି ହୋଇଯାଇଛି ଟେରା ।
ଭୁବନେଶ୍ୱର ଏମ୍ସ ନଗରରେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି କରାଯାଇଛି ଏହି ଘର । ଖାଲି ଘର ନୁହେଁ, ଘର ଭିତରେ ଭଳିକି ଭଳି ଦାମୀ ସାମଗ୍ରୀ ମଧ୍ୟ ରଖାଯାଇଛି ।ତିନି ମହଲା ଘରେ ଲାଗିଛି ଲିଫ୍ଟ । ଘରର ବିଭିନ୍ନ ଡୋରରେ ଲାଗିଛି ଡିଜିଟାଲ୍ ଲକ୍ ସିଷ୍ଟମ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ହୋଇଛି ଏହି ଚଢ଼ାଉ । ସର୍ଚ୍ଚ ଓ୍ୱାରେଣ୍ଟ ସତ୍ତ୍ୱେ ବି ଭିଜିଲାନ୍ସ ଟିମ୍କୁ ଘର ଭିତରକୁ ଛାଡିନଥିଲେ ଯନ୍ତ୍ରୀ ଏବଂ ତାଙ୍କ ପୁଅ । ଶେଷରେ କବାଟ ଭାଙ୍ଗି ଭିତରକୁ ପଶିଥିଲେ ଅଧିକାରୀ । ତେବେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।