ନିଶା ଆଗରେ ତୁଛ ହେଲା ମୋଟା ଅଙ୍କର ଦରମା | ଇଞ୍ଜିନିୟର ଚାକିରୀ ଛାଡି ସାଜିଲେ ସଫଳ ଗୋପାଳକ |ଏବେ ଯୁବପିଢ଼ି ଚାକିରୀ ମୁହାଁ ହୋଇ ନିଜ ଭିଟା ମାଟି ଛାଡ଼ୁଛନ୍ତି | କିନ୍ତୁ ଯୁବପିଢିଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତର ସ୍ମୃତି ରଞ୍ଜନ ଖୁଣ୍ଟିଆ | ମାତ୍ର ୨୪ ବର୍ଷ ବୟସରେ ସେ ଆଜି ପାଲଟିଛନ୍ତି ଜଣେ ସଫଳ ଉଦ୍ୟୋଗୀ | ତାଙ୍କର ଏହି ପ୍ରଚେଷ୍ଟା ଅନେକ ଯୁବପିଢିଙ୍କୁ ଯୋଗାଇଛି ପ୍ରେରଣା ।
ସ୍ମୃତି ରଞ୍ଜନ ଇଞ୍ଜିନିୟର ଚାକିରୀ କରୁଥିବା ସମୟରେ କାହା ଅଧୀନରେ ରହି ତାଙ୍କୁ କାର୍ଯ୍ୟ କରିବାକୁ ଭଲ ଲାଗି ନଥିଲା। ଫଳରେ ସେ ଚାକିରୀ ଛାଡି ତାଙ୍କ ଗ୍ରାମକୁ ଫେରି ଆସିଥିଲେ | ଗୋପାଳନ ଫାର୍ମ ଖୋଲିବାକୁ କଲେ ମନସ୍ଥ | ବ୍ୟାଙ୍କ୍ ରୁ ଲୋନ୍ ଆଣି ଗାଁରେ ୧୨ ଏକର ଜମିରେ ଫାର୍ମ ଆରମ୍ଭ କଲେ । ଏହି ଫାର୍ମରେ ରହିଛନ୍ତି ବିଦେଶୀ ହାଇବ୍ରିଡର ୨୦ଟି ମଇଁଷି ସହ ୧୦୦ଟି ଉନ୍ନତମାନର ଗାଈ ଓ ବାଛୁରୀ | ସେମାନଙ୍କ ପାଇଁ ଗୋଖାଦ୍ୟ ସୁଦୂର ମହାରାଷ୍ଟ୍ରରୁ ସାଇଲେଜ ନାମକ ଏକ ଦାନା ଆସୁଛି। ତାହା ସହ ସୁପର ନାପିୟର ନାମକ ଏକ ଜାତିର ଘାସ ସେହି ଫାର୍ମରେ ଚାଷ କରାଯାଇ ସେମାନଙ୍କୁ ଖାଇବା ଦିଆଯାଉଛି। ଯାହା ଦ୍ୱାରା ଗୋଟିଏ ଗାଈ ଦିନକୁ ୫ ଲିଟରରୁ ଅଧିକ କ୍ଷୀର ଦେଇ ପାରୁଛି। ଦିନକୁ ମୋଟ ୮୦୦ ଲିଟର କ୍ଷୀର ସଂଗ୍ରହ କରାଯାଉଛି। ଫାର୍ମରୁ ସଂଗ୍ରହ ହେଉଥିବା କ୍ଷୀର ସ୍ମୃତି ରଞ୍ଜନ ଓମଫେଡ୍ ଓ ପ୍ରଗତି ସଂଗ୍ରହ କେନ୍ଦ୍ରକୁ ଦେଉଛନ୍ତି |
ଖାଲି ସେତିକି ନୁହେଁ ଏହି ଫାର୍ମରେ ୩ ଏକର ଜାଗାରେ ୮ ଟି ପୋଖରୀ ଖୋଳାଯାଇଛି | ଉକ୍ତ ପୋଖରୀରେ କରାଯାଉଛି ମାଛ ଚାଷ | ପୋଖରୀରେ ରୋହି, ଭାକୁର, ଚାଇନା କଉ, ରୂପାଚାନ୍ଦି, ଗ୍ଲାସ୍ କପ୍ ଆଦି ମାଛ ଚାଷ କରାଯାଉଛି । ଏପରିକି ଏଠାରେ ବିଦେଶୀ ଜାତିର କୁକୁର ରଖାଯାଇ ପ୍ରଜନନ କରାଯାଇ ଛୁଆ ବିକ୍ରି କରାଯାଉଛି। ଫାର୍ମରେ ଅନେକ ପ୍ରକାର ଗଛ ଲଗାଯାଇ ଫଳ ଚାଷ ମଧ୍ୟ କରାଯାଉଛି | ଫାର୍ମରୁ ସେ ମାସିକ ୨ ଲକ୍ଷ ରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି | ଏଥିସହ ଏହି ଫାର୍ମରେ ୩୫ ରୁ ଅଧିକ ଲୋକଙ୍କୁ କାମ ଦେଇ ସେମାନଙ୍କୁ ରୋଜଗାର ଦେଇପାରିଛନ୍ତି ବୋଲି କହିଛନ୍ତି ସ୍ମୃତି ରଞ୍ଜନ | ତାଙ୍କର ଏହି ସଫଳତାକୁ ବେଶ୍ ପ୍ରସଂଶା କରିଛନ୍ତି ସ୍ଥାନୀୟ ଲୋକେ |