ବାତ୍ୟା ‘ଜଓ୍ୱାଦ’ ଜନିତ କ୍ଷୟକ୍ଷତିରୁ ଚାଷୀ ଅଣ୍ଟା ସଳଖି ନଥିବା ବେଳେ ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଛନ୍ତି ବଣୁଆ ହାତୀ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ହାତୀ ପଲ ଧାନ କ୍ଷେତରେ ପଶି ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଉଛନ୍ତି । ଚାଷୀ ଫସଲ ଅମଳ କରି ଆଣି ନିଜ ଖଳାରେ ସାଇତି ରଖିଥିବାବେଳେ ବଣୁଆ ହାତୀ ପଲ ଧାନ ଖାଇବା ଲକ୍ଷ୍ୟରେ ଏବେ ଗାଁ ମୁହାଁ ହୋଇଛନ୍ତି। ଫଳ ସ୍ୱରୂପ ପର୍ଯ୍ୟାପ୍ତ ପରିମାଣର ଧାନ ତ ଖାଉଛନ୍ତି ଧାନଗଦା ଭାଙ୍ଗି ଦଳି ଚକଟି ନଷ୍ଟ କରି ଚାଲି ଯାଉଛନ୍ତି। ଫଳରେ କିଛି ଉପାୟ ନପାଇ ନିଜ ଫସଲକୁ ହାତୀଙ୍କ ଦାଉରୁ ରକ୍ଷା କରିବାକୁ ଚାଷୀମାନେ ଧାନ ଖଳା, କ୍ଷେତ ପାର୍ଶ୍ଵ ହୁଡ଼ାରେ ଶୀତ କାକର ସହି ପଡି ରହୁଥିବା ଦେଖାଯାଉଛି । ବଣୁଆ ହାତୀ ପଲଙ୍କ ଯୋଗୁଁ ସେମାନଙ୍କ ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ହାଡ଼ ଭଙ୍ଗା ପରିଶ୍ରମରେ ଅର୍ଜିତ ଧାନ ଫସଲର ସୁରକ୍ଷା ଚିନ୍ତା କରି ଗରିବ କୃଷକ ନିଜ ଜୀବନକୁ ବାଜି ଲଗାଉଛି । ଅନ୍ୟପକ୍ଷରେ ହାତୀପଲ ଗାଁ ଭିତରକୁ ପଶି ଆସୁଥିବାରୁ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି ଗ୍ରାମବାସୀ । ଏ ନେଇ ହିନ୍ଦୋଳ ବ୍ଲକ କନ୍ତlମିଲା ପଞ୍ଚାୟତ ଅନ୍ତର୍ଗତ ବାଘ ସାହି ଗ୍ରାମବାସୀ କ୍ଷୟକ୍ଷତି ଭରଣା ସହିତ ହାତୀପଲଙ୍କ ଉତ୍ପୀଡ଼ନରୁ ସୁରକ୍ଷା ଯୋଗାଇ ଦେବାକୁ ହିନ୍ଦୋଳ ବନାଞ୍ଚଳ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ସେଭଳି କିଛି ପଦକ୍ଷେପ ନିଆଯାଇନାହିଁ । ଗ୍ରାମଠାରୁ କର୍ଣ୍ଣପୁର ବିଟର ଦୂରତ୍ୱ ମାତ୍ର ୩ କିଲୋମିଟର ହୋଇଥିବା ବେଳେ କେତବେଳେ କେମିତି ବିଭlଗିୟ ଗାର୍ଡଙ୍କ ସମେତ ଜଣେ ୨ ଜଣ ହାତୀ ସ୍କ୍ୱାଡ଼ ବାଘ ସାହି ଗାଁ ଓ ଏହାର ଆଖ ପାଖ ଅଞ୍ଚଳ ବୁଲି ଚାଲି ଯାଉଛନ୍ତି। ପ୍ରଶାସନ ଓ ବନ ବିଭାଗର ମିଳିତ ସହଯୋଗରେ ଗ୍ରାମବାସୀଙ୍କୁ ହାତୀ ପଲଙ୍କ ଦାଉରୁ ରକ୍ଷା କରିବାକୁ ଦାବି ହୋଇଛି ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ଗୁଵରଧନ ବାଘ, ସୁବାସ ବାଘ, ଭାରତ ବାଘ ପ୍ରମୁଖ କରିଛନ୍ତି ।