ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯାୟ ଭୋଟ ଶେଷ ହୋଇଛି | କିନ୍ତୁ ସିଲ ଭୋଟବାକ୍ସ ଖୋଲାଯିବା ସନ୍ଦେହରେ ସ୍ଥାନୀୟ ଅଂଚଳରେ ପ୍ରକାଶ ପାଇଛି ଉତ୍ତେଜନା | ଉତ୍ୟକ୍ତ ଲୋକେ ପ୍ରିଜାଡିଙ୍ଗ ଅଫିସରଙ୍କୁ ମାଡ ମାରି ଫଟାଇ ଦେଇଛନ୍ତି ମୁଣ୍ଡ । ଖବରପାଇ ବିଡିଓ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ମଧ୍ଯ ଛାଡ଼ିନଥିଲେ ଲୋକେ | ବିଡିଓଙ୍କୁ ଉତ୍ୟକ୍ତ ଲୋକେ ଠେଲା ପେଲା କରିଥିବା ସୂଚନା ମିଳିଛି । ଏଭଳି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ତିର୍ତ୍ତୋଲ ଥାନା ଅଞ୍ଚଳରେ | ଏହି ଗଣ୍ଡଗୋଳ ଘଟଣାରେ ତିର୍ତ୍ତୋଲ ପୋଲିସ ୯ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।
କୁଜଙ୍ଗ ବ୍ଲକ ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତର ମିଠିଲୋ ଗ୍ରାମର ୧୦ ନଂ ବୁଥରେ ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହ ସରିଥିଲା ଚତୁର୍ଥ ପର୍ଯ୍ୟୟ ମତଦାନ | ଭୋଟ ବାକ୍ସକୁ ପ୍ରିଜାଡିଙ୍ଗ ଅଫିସର ଜଉମୁଦରେ ସିଲ କରିବା ପରେ ଏହାକୁ ରାହାମା ଶାରଳା କଲେଜରେ ଖୋଲିଥିବା ଷ୍ଟ୍ରଙ୍ଗରୁମର ରିସିଭ ସେଣ୍ଟରକୁ ଅଣାଯାଇଥିଲା। ତେବେ ଏହି ଭୋଟବାକ୍ସ ଗାଡିକୁ ଫଲୋ କରି ସ୍ଥାନୀୟ ପ୍ରାର୍ଥୀଙ୍କ ପ୍ରତିନିଧି ରିସିଭ ସେଣ୍ଟରରେ ଆସି ପହଞ୍ଚିଥିଲେ। ସେହି ସମୟରେ ନିର୍ବାଚନରେ ବ୍ୟବହୃତ ହୋଇଥିବା ସମସ୍ତ ସାମଗ୍ରୀକୁ ଜିମା ଦେବାକୁ ପ୍ରିଜାଇଡିଂ ଅଧିକାରୀ ସୁବୋଧ କୁମାର ଜେନା ଖୋଲୁଥିବା ବେଳେ ଭୋଟ ବାକ୍ସର ସିଲ ଖୋଲୁଥିବା ନେଇ ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା | ପ୍ରାର୍ଥୀଙ୍କ ସମର୍ଥକମାନେ ପ୍ରିଜାଇଡିଂ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ଖବରପାଇ କୁଜଙ୍ଗ ବିଡିଓ ସୌମେଶ୍ରୀ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ତାଙ୍କୁ ମଧ୍ଯ ଠେଲାପେଲା କରାଯିବା ସହ ଧକ୍କା ମରାଯାଇ ଥିଲା। ସେ ମଧ୍ଯ ସାମାନ୍ଯ ଆହତ ହୋଇଥିବା ଜଣାପଡିଛି । ତେବେ ଭୋଟ ବାକ୍ସ ଯାଞ୍ଚ କରିବା ପରେ କୌଣସ ସିଲ ଖୋଲି ନ ଥିବାର ଦେଖିବାକୁ ମିଳିଥିଲା।