ସରିଲା ୫ ରାଜ୍ୟରେ ଚାଲିଥିବା ନିର୍ବାଚନ | କିନ୍ତୁ ନିର୍ବାଚନ ଶେଷ ହେବା ମାତ୍ରେ ସାଧାରଣ ଲୋକଙ୍କ ଉପରେ ପଡ଼ିଲାଣି ମହଙ୍ଗା ମାଡ଼ । ଗ୍ୟାସ ଠାରୁ ଆରମ୍ଭ କରି ତେଲ ସବୁ ହେଲାଣି ମହଙ୍ଗା | ଆଜି ଦେଶରେ ସିଏନଜି ଗ୍ୟାସ ଦାମ୍ ବଢ଼ି ଯାଇଛି। ଆଜି ସକାଳୁ ବର୍ଦ୍ଧିତ ଦର ଲାଗୁ ହୋଇଛି । ଖୁବଶୀଘ୍ର ପେଟ୍ରୋଲ ଓ ଡିଜେଲ ଦର ବଢିବା ନେଇ ଆଶଙ୍କା ଦେଖାଦେଇଛି | କୁହାଯାଉଛି ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ତେଲଦର ବୃଦ୍ଧି ଉପରେ ରୋକ ଲଗାଇଥିଲେ । ଗତକାଲି ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ତେଣୁ ଖୁବଶୀଘ୍ର ତେଲଦର ବୃଦ୍ଧି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ୟୁକ୍ରେନ-ରୁଷ ଯୁଦ୍ଧର ପ୍ରଭାବ ଆମ ଦେଶରେ ଦେଖାଦେଲାଣି। ଯୁଦ୍ଧ ହେତୁ ଭାରତରେ ଅଶୋଧିତ ତୈଳ ମୂଲ୍ୟ ଉପରେ ପଡିଛି ପ୍ରଭାବ । ଯଦିଓ ଗତ ୪ ମାସ ଧରି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ତେଲ ଦର ନବଢ଼ାଇ ସ୍ଥିର ରଖିଛନ୍ତି। ତେଣୁ ଏବେ ଖବର ଆସୁଛି ଏହି ସପ୍ତାହରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୫ ଟଙ୍କା ବୃଦ୍ଧି ପାଇବ । ସୋମବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୩୯ ଡଲାରରେ ପହଂଚି ଯାଇଛି । ତେଣୁ ତୁରନ୍ତ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୫ରୁ ୬ ଟଙ୍କା ବଢାଇବାକୁ ଦାବି କରିଛନ୍ତି ଭାରତୀୟ ତେଲ କମ୍ପାନୀ ।
ଅନ୍ୟପକ୍ଷରେ ରୋଷେଇ ଶାଳ ଉପରେ ପଡିଛି ଯୁଦ୍ଧର ପ୍ରଭାବ । ଖାଇବା ତେଲର ଦାମ ବଢିଲା ୫୦ଟଙ୍କା । ରାଜଧାନୀ ଭୁବନେଶ୍ୱର ସମେତ ଓଡିଶାର ବିଭିନ୍ନ ସ୍ଥାନରେ ଖାଇବା ତେଲ ଲିଟର ପିଛା ୪୦ରୁ ୫୦ ଟଙ୍କା ଅଧିକ ଦାମରେ ବିକ୍ରି ହେଉଛି । ବିଭିନ୍ନ ସ୍ଥାନରେ ତେଲର କୃତ୍ରିମ ସଂକଟ ସୃଷ୍ଟି କରି କଳାବଜାରୀ କରାଯାଉଥିବା ଅଭିଯୋଗ ହୋଇଛି ।