ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି | ଆସନ୍ତା ୧୬ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଜି ଜିଲ୍ଲାପାଳମାନଙ୍କ ସହ ଡିଜିଟାଲ ବୈଠକ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ । ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ହୋଇଥିଲା ସମୀକ୍ଷା । ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ସର୍କୁଲାର ଜାରି ହୋଇଛି । ନିର୍ବାଚନ କମିଶନର କହିଛନ୍ତି ପ୍ରଚାର ସରିବା ପରେ ରାଜନୈତିକ ଦଳର ଲୋକ କିମ୍ବା ଅନ୍ୟ ଅଞ୍ଚଳର ଲୋକ ସ୍ଥାନୀୟ ଅଞ୍ଚଳରେ ରହି ପାରିବେନି। ୧୪ ତାରିଖ ସଂଧ୍ୟା ସୁଦ୍ଧା ୭ଟା ସୁଦ୍ଧା ବାହାର ଲୋକ ଓ ନେତା ଗାଁ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି, ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ଲାଉଡ ସ୍ପିକର ବନ୍ଦ ରହିବ ।
ପ୍ରଥମ ପର୍ଯ୍ୟାୟରେ ୭୧ଟି ବ୍ଲକର ୨ ଶହ ଜିଲ୍ଲା ପରିଷଦ, ୧ ହଜାର ୬୬୯ ପଞ୍ଚାୟତ ଓ ୨୨ ହଜାର ୩୭୯ ୱାର୍ଡ ମେମ୍ବର ପାଇଁ ମତଦାନ ହେବ । ୬୭ ଲକ୍ଷ ୫୧ ହଜାର ଭୋଟର ମତ ସାବ୍ୟସ୍ତ କରିବେ । ଏଥିପାଇଁ ୧୪ ଓ ୧୫ ତାରିଖରେ ପୁଲିଂ ଅଧିକାରୀ ମତଦାନ କେନ୍ଦ୍ରରେ ପହଂଚିବେ । କେତେ ସମ୍ବେଦନଶୀଳ ବୁଥ ରହିଛି ସେ ନେଇ ଚିହ୍ନଟ ଚାଲିଛି। ସେହି ସବୁ ବୁଥରେ ଅଧିକ ପୋଲିସ ମୁତୟନ ହେବେ। ଷ୍ଟ୍ରଙ୍ଗ ରୁମରେ ସିସି ଟିଭି ଲଗାଯିବ। ଯେଉଁ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେଉଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ।