ଆଜିକାଲି ନେତାମାନଙ୍କୁ ଅଣ୍ଡାମାଡ଼ କରିବା ଯେମିତି ଏକ ଟ୍ରେଣ୍ଡ ହୋଇଗଲାଣି । ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ହୋଇଛି ଅଣ୍ଡାମାଡ । କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଉପରକୁ ମଧ୍ୟ ହୋଇଥିଲା ଅଣ୍ଡାମାଡ଼ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଅଣ୍ଡାମାଡରୁ ମିଳେ କ’ଣ ? ଏହାଦ୍ୱାରା କ’ଣ ସବୁ ସମସ୍ୟାର ସମାଧାନ ହୋଇଯିବ? ଏ ପ୍ରକାର ବିଶୃଙ୍ଖଳିତ ଆଚରଣ ପାଇଁ ଦାୟୀ କିଏ ? ନେତା ନା କର୍ମୀ ନା ପବ୍ଲିକ୍ ? ନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ଦଳ ମଧ୍ୟରେ ବଳକଷାକଷି ଆରମ୍ଭ ହୋଇଯାଇଛି । ଆରୋପ ପ୍ରତ୍ୟାରୋପ ବି ବଢ଼ିବାରେ ଲାଗିଛି । ନେତାଙ୍କୁ କଳାପତାକା ପ୍ରଦର୍ଶନ, ଅଣ୍ଡାମାଡ କରିବା ଭଳି ହୀନ ରାଜନୀତି କରିବାକୁ ମଧ୍ୟ ପଛାଉନାହାନ୍ତି ବିରୋଧୀ । ବିଶେଷକରି ନିର୍ବାଚନ ପୂର୍ବରୁ ବା ପ୍ରଚାର ସମୟରେ ମନ୍ତ୍ରୀମାନଙ୍କ ଉପରକୁ ଏହି ଅଣ୍ଡାମାଡ ହେଉଥିବା ଦେଖିବାକୁ ମିଳୁଛି । ଗତ କିଛି ଦିନ ତଳେ ବିଜେଡି ନେତାଙ୍କୁ ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ଅଣ୍ଡାମାଡ଼ କରିଥିଲେ । ଏହାର ଜବାବ ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ମଧ୍ୟ ଅଣ୍ଡାମାଡ଼ କରାଯାଇଥିଲା । କିନ୍ତୁ ଏଭଳି ବିରୋଧ ପ୍ରଦର୍ଶନ କେତେ ଯୁକ୍ତିଯୁକ୍ତ । ତେବେ ଚାଲନ୍ତୁ ଜାଣିବା ଏହି ଟ୍ରେଣ୍ଡ କେବେ ଠାରୁ ଆରମ୍ଭ ହୋଇଛି ।
ସଂସଦ ଭଳି ପବିତ୍ର ସ୍ଥାନରେ ମଧ୍ୟ ଗତ କିଛି ଦଶନ୍ଧି ହେଲା ହିଂସା ଘଟଣା ବୃଦ୍ଧି ପାଇଛି । ସଂସଦ ଏବଂ ବିଧାନସଭାରେ ବିରୋଧ ପ୍ରଦର୍ଶନ କରିବାକୁ ଯାଇ ବିରୋଧୀ ନେତାମାନେ ଜୋତା ଫିଙ୍ଗିବା, ପୋଡିୟମ୍ ଉପରକୁ ଚଢ଼ିଯିବା, ମାଇକ୍ ଫିଙ୍ଗିବା, କାଳି ଫିଙ୍ଗିବା ଭଳି ଘଟଣାରୁ ଏଭଳି ଘୃଣ୍ୟ ମାନସିକତା ସୃଷ୍ଟି ହୋଇଛି । ଅନେକ ରାଜନୈତିକ ନେତା ସର୍ବସାଧାରଣ ସ୍ଥାନରେ ମଧ୍ୟ ବିରୋଧୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଆପଣଙ୍କର ମନେ ଥିବ ୨୦୦୮ରେ ଆମେରିକାରତ୍ତତତ୍କାଳୀନ ରାଷ୍ଟ୍ରପତି ଜଜ୍ ବୁଶ୍ଙ୍କ ଉପରକୁ ଜଣେ ଇରାକୀ ସାମ୍ବାଦିକ ଚପଲ ଫିଙ୍ଗିଥିଲେ । ଏହି ଘଟଣାକୁ ନେଇ ସେହି ସମୟରେ ବହୁ ଆଲୋଡ଼ନ ସୃଷ୍ଟି ହୋଇଥିଲା । ବୋଧହୁଏ ସେବେଠାରୁ ରାଜନୀତିରେ ଏଭଳି ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଦଳରେ ବିରୋଧୀଙ୍କୁ ଟାର୍ଗେଟ କରାଯାଇ ଚପଲ ମାଡ ଓ ଅଣ୍ଡାମାଡ଼ କରିବା ଟ୍ରେଣ୍ଡ ଆରମ୍ଭ ହୋଇଛି । ଗତ ଏପ୍ରିଲ ୪ ତାରିଖରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରକୁ ୩ ଜଣ ବିଜେପି ବିଧାୟକ ଚପଲ ଫିଙ୍ଗବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବାଚସ୍ପତି ୩ ବିଧାୟକ ଜୟନାରାୟଣ ମିଶ୍ର, ମୋହନ ଚନ୍ଦ୍ର ମାଝି ଏବଂ ବିଷ୍ଣୁ ସେଠୀଙ୍କୁ ସସ୍ପେଣ୍ଡ କରିଥିଲେ । ସେହିଭଳି ୨୦୦୯ରେ ଭିନ୍ନ ଭିନ୍ନ ସ୍ଥାନରେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ପି.ଚିଦାମ୍ବରମ୍, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଏପରିକି ବିରୋଧୀ ଦଳର ନେତା ଏଲ୍କେ ଆଡଭାନୀଙ୍କ ଉପରକୁ ମଧ୍ୟ ବିରୋଧୀମାନେ ଚପଲମାଡ଼ କରିଥିଲେ । ୨୦୧୬ରେ ପଞ୍ଜାବ ବିଧାନସଭାରେ ପଞ୍ଜାବର ଜଣେ ମନ୍ତ୍ରୀଙ୍କ ଉପରକୁ କଂଗ୍ରେସର ଜଣେ ବିଧାୟକ ଚପଲ ଫିଙ୍ଗିଥିଲେ । ସେହିଭଳି ୨୦୧୪ରେ ତେଲେଙ୍ଗାନା ବିଲ୍ ପ୍ରଣୟନକୁ ବିରୋଧ କରି ଲୋକସଭାରେ ୩ ଜଣ ଏମ୍ପିଙ୍କ ଦ୍ୱାରା ଗୋଲମରିଚ ଗୁଣ୍ଡ ସ୍ପ୍ରେ କରାଯାଇଥିଲା । ଫଳରେ ଆନ୍ଧ୍ରପ୍ରଦେଶର ୧୬ ଜଣ ଏମ୍ପି ସସ୍ପେଣ୍ଡ ହୋଇଥିଲେ । ୨୦୧୪ ଜୁଲାଇ ୧୩ରେ କର୍ଣ୍ଣାଟକ ବିଧାନସଭା ଚାଲିଥିବାବେଳେ ତତ୍କାଳୀନ ଜଙ୍ଗଲମନ୍ତ୍ରୀ ବି. ରାମନାଥ ରାୟ ଓ କେତେଜଣ ବିଜେପି ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ପରେ ଉତ୍ତ୍ୟକ୍ତ ବିଜେପି ବିଧାୟକ ମନ୍ତ୍ରୀଙ୍କୁ ହାତ ଉଠାଇବାକୁ ପ୍ରୟାସ କରୁଥିବାବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇଥିଲେ । ଆମେ କହୁଛୁ ଆଜି ଆମେ ସବୁ ଶିକ୍ଷିତ । କିନ୍ତୁ ଆମେ ଯଦି ୨୦ ବର୍ଷ ତଳକୁ ଯିବା କାହିଁ ସେତେବେଳେ ତ କେଉଁଠାରେ କେଉଁ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ତ ହେଉ ନ ଥିଲା । ତା ମାନେ କ’ଣ ସେତେବେଳେ ରାଜନୀତି ନ ଥିଲା, ନା ବିରୋଧୀ ନ ଥିଲେ । ସେତେବେଳେ ବି ରାଜନୀତି ହେଉଥିଲା ବିରୋଧୀ ଦଳ ବି ଥିଲେ । କିନ୍ତୁ ନେତା ଓ କର୍ମୀମାନେ ହୀନ ରାଜନୀତି କରୁନଥିଲେ । କର୍ମୀମାନେ ନେତାଙ୍କ ଉପରକୁ ଅଣ୍ଡାମାଡ଼ କଲେ କିମ୍ବା କଳାପତାକା ପ୍ରଦର୍ଶନ କଲେ କ’ଣ ସେମାନଙ୍କ ସମସ୍ୟା ଦୂର ହୋଇଯିବ । ସରକାରଙ୍କୁ ସମାଲୋଚନା କରିବା ତାଙ୍କୁ ବିରୋଧ କରିବା ଗଣତନ୍ତ୍ର ଶାସନରେ ବ୍ୟବସ୍ଥା ଅଛି । କିନ୍ତୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ସୀମାରେଖା ପାର କରିଯାଉଛନ୍ତି । କେନ୍ଦ୍ର ହେଉ କି ରାଜ୍ୟ । ସରକାରଙ୍କୁ ଆମେ ଚୟନ କରୁଛୁ । ତେଣୁ ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରିପାରିବା ବିରୋଧ କରିପାରିବା କିନ୍ତୁ ନିଚ ମାନସିକତା ରଖି ନେତାଙ୍କୁ ଅଣ୍ଡାମାଡ କି ଚପଲ ମାଡ କରିବା ଅନୁଚିତ୍ । ଆମେ ଚାହିଁଲେ ଟଙ୍କା ଆଗରେ ନିଜକୁ ବିକ୍ରି ନ କରି ସଠିକ୍ ସରକାର ବାଛିପାରିବା । ଫଳରେ ଆମକୁ ଆଉ ଏଭଳି ଘୃଣ୍ୟ କାମ କରିବାକୁ ପଡ଼ିବ ନାହିଁ ।