ଯା’ ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା
ନମସ୍ତେସୈ ନମସ୍ତେସୈ ନମସ୍ତେସୈନମୋନମଃ ।”
ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ । ଅଧର୍ମ ଉପରେ ଧର୍ମର ବିଜୟ । ଅସତ୍ୟ ଉପରେ ସତ୍ୟର ଜୟ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ନଅ ଦିନର ପୂଜାର୍ଚ୍ଚନା ପରେ ଆଜି ମା’ଙ୍କର ବିଜୟା ଦଶମୀ ପାଳନ ହେବ । ଏନେଇ ଗାଁଠୁ ସହର ସବୁ ଉତ୍ସବମୁଖର । ତନ୍ତ୍ର, ମନ୍ତ୍ର, ଚଣ୍ଡିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ଡପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା’ ମହିଷାମର୍ଦ୍ଦିନୀଙ୍କ ପୂଜା । ବିଶ୍ବାସ ରହିଛି, ଆଶ୍ବିନ ଶୁକ୍ଲଦଶମୀ ତିଥିରେ ଦେବୀ ଦୁର୍ଗାଙ୍କୁ ପୂଜନ କଲେ ମନୁଷ୍ୟ ଦଶ ଜନ୍ମକୃତ ପାପରୁ ଉଦ୍ଧାର ପାଏ ବୋଲି ଏହି ପୁଣ୍ୟତିଥିକୁ ଦଶହରା କୁହାଯାଏ ।ତେବେ ପୁରାଣରେ ବର୍ଣ୍ଣିତ ଅଛି, ଯେତେବେଳେ ମହିଷାସୁର ଅତ୍ୟାଚାରରେ ଦେବମାନବ ତ୍ରାହି ତ୍ରାହି ଡାକିଲେ ଏବଂ ପୃଥିବୀ ଭୟରେ ଥରହର ହେଲା । ସେହି ସମୟରେ ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆର୍ବିଭୂତା ହୋଇଥିଲେ ମା’ ଦୁର୍ଗତିନାଶିନୀ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ । ଶେଷରେ ଦେବୀ ସିଂହବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ବାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଡଦ୍ବାରା ଶିରଚ୍ଛେଦ କଲେ । ପାପୀ ମହିଷାସୁରକୁ ବଦ୍ଧ କରି ବ୍ରାହ୍ମଣ୍ଡରେ ଶାନ୍ତି ପ୍ରତିଷ୍ଠା କରିଥିଲେ ।
ତ୍ରେତୟା ଯୁଗରେ ମା’ ଜଗତଜନନୀଙ୍କ ଆଶିଷରୁ ପ୍ରଭୁ ରାମଚନ୍ଦ୍ର ରାବଣର ଦଶମୁଣ୍ଡ ହରଣ କରିଥିଲେ ଏବଂ ରାବଣକୁ ବଦ୍ଧ କରି ସୀତାଙ୍କୁ ଫେରାଇ ଆଣିଥିଲେ ।
ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ଶରତ ଋତୁର ଆଶ୍ବିନ ମାସ ଶୁକ୍ଲପକ୍ଷର ପୂଜାକୁ ଦେବୀ ପୂଜା ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଲପକ୍ଷର ପୂଜାକୁ ବାସନ୍ତୀ ପୂଜା କୁହାଯାଏ । ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦୁର୍ଗାପୂଜା ହିଁ ଅଧିକ ଲୋକପ୍ରିୟ । କେବଳ ଦେଶ ତଥା ରାଜ୍ୟରେ ନୁହେଁ, ବିଦେଶରେ ମଧ୍ୟ ପ୍ରବାସୀ ଭାରତୀୟ ଦୁର୍ଗାପୂଜା ମହାଆଡମ୍ବରରେ ପାଳନ କରିଥାନ୍ତି । ମାତ୍ର ବିଡମ୍ବନାର ବିଷୟ, ମହାମାରୀ ପାଇଁ ଦୁଇ ବର୍ଷ ହେଲା ଦଶହରା ଟିକେ ଫିକା ପଡୁଛି । କଟକଣା ଯୋଗୁଁ ନା ପୂଜା ମଣ୍ଡପରେ ଲୋକଙ୍କ ଗହଳି ଜମୁଛି ନା ମା’ଙ୍କ ବିଶାଳ ତଥା ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି ଦେଖିବାକୁ ମିଳୁଛି । କଟକଣା ଭିତରେ ଚାରିଆଡେ ଚାଲିଛି ଦଶଭୂଜାଙ୍କ ପୂଜାର୍ଚ୍ଚନା ।