ଚାଲିଗଲା ବାତ୍ୟା ଜୱାଦ l ହେଲା ଗଲାବେଳକୁ ଚାଷୀଙ୍କ ମୁହଁରୁ ଛଡାଇନେଲା ବର୍ଷକର ଆହାର l ଅଳ୍ପଦିନ ପରେ ଚାଷୀ ବର୍ଷକର ଦାନାକୁ ଅମଳ କରି ଘରେ ସାଇତି ରଖିଥାନ୍ତା, ହେଲେ ହଠାତ ଜୱାଦ ଧାନ ଫସଲକୁ ନଷ୍ଟ କରି ଚାଲିଗଲା l ସବୁ ଫସଲ ଉଜୁଡି ଯାଇଥିବାରୁ ଚାଷୀଙ୍କ ମଧ୍ୟରେ ହାହାକlରା ଖେଳିଗଲାଣି l ଜୱାଦ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ଗତ ଦୁଇ ଦିନ ଧରି ଲାଗିରହିଥିବା ବର୍ଷl ପାଇଁ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ପାଣିରେ ଭାସୁଛି ପାଚିଲା ଧାନ କ୍ଷେତ l ନାଉଗାଁ ବ୍ଲକ ଅଞ୍ଚଳରେ 90 ପ୍ରତିଶତ ପାଚିଲା ଧାନ କଟା ନ ଯାଇ କ୍ଷେତରେ ରହିଛି l ବିଭିନ୍ନ ଗ୍ରାମର ଖାଲୁଆ ଅଞ୍ଚଳରେ ଧାନ ଗୁଡିକ ଶୋଇଯାଇଥିବା ବେଳେ ସେଥିରେ ଗଜା ସୃଷ୍ଟି ହେବାରେ ଲାଗିଲାଣି l
ସେହିଭଳି ତିର୍ତ୍ତୋଲ ବ୍ଳକର ୨୯ ପଞ୍ଚାୟତରେ ବିଲରେ ମାଡ଼ିଥିବା ବର୍ଷାପାଣିରୁ ଧାନକୁ ଛାଣିବାକୁ ଚେଷ୍ଟା କରୁଛି ଚାଷୀ। ବିଲରେ ଧାନ ପାଚିଥିଲେ ମଧ୍ୟ ତାହା ପାଣିରେ ପଡିଚି। ଯାହାକୁ କାଟି ଅମଳ କରିବା ଏକ ପ୍ରକାର ସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ସମ୍ଭାବ୍ଯ ବାତ୍ୟା ଓ ଲଘୁଚାପ ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀମାନେ ଅମଳ ଧାନକୁ ଯଦି ସୁରକ୍ଷା ଦେଇ ନ ପାରିବେ ତାହେଲେ ମଣ୍ଡିରେ ମିଲର୍ସଙ୍କ ଦ୍ଵାରା ଛଟନିର ଶିକାର ହେବେ। ଜିଲ୍ଲାରେ ଏ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲି ନ ଥିବାରୁ ଚାଷୀଙ୍କ ମୁଣ୍ଡରେ ବିପଦ ଅଛି ବୋଲି ଚାଷୀମାନେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି। ଅପରପକ୍ଷର ପନିପରିବା ଏବେ ଅମଳ ହେବା ସମୟ ହୋଇଥିଲେ ମଧ୍ୟ ବର୍ଷା ଯୋଗୁଁ ଫସଲ କିଆରିରେ ପାଣି ଭରି ଯାଇ ବ୍ୟାପକ ଫସଲ ହାନି ହୋଇଛି। ଯାହାଫଳରେ ଚାଷୀ କୂଳ ହତାଶ ହେବା ସହିତ ଚାଷୀଙ୍କ ମନ ଦୁଃଖରେ ଭାଙ୍ଗି ପଡିଛି । ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏବଂ କୃଷି ବିଭାଗ ତରଫରୁ କ୍ଷୟକ୍ଷତିର ଆକଳନ କାରାଯାଇ ଚାଷୀ ମାନଂକୁ କ୍ଷତିପୂରଣ ପ୍ରଦାନ କରାଯିବା ନିମନ୍ତେ ଚାଷୀକୂଳ ଦାବି କରିଛନ୍ତି ।