ରାଜକନିକା(ଏନଏନଏସ୍): ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ । ଗାଁରେ ପାଣି ସୁବିଧା ପାଇଁ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ପ୍ରକଳ୍ପ ଆରମ୍ଭ ହୋଇ ଶେଷ ମଧ୍ୟ ହେଲା । ଗାଁ କୁ ଗାଁ ଘରକୁ ଘର ପାଇପ ସଂଯୋଗ ବି ହେଲା । କିନ୍ତୁ ପିଇବା ପାଇଁ ପାଣି ପାଇପାରିଲେ ନାହିଁ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଳକ କଳସପୁର ପଂଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ପଂଚାୟତର ୧ନଂ ୱାର୍ଡରେ ବାସ କରନ୍ତି ଶହେରୁ ଅଧିକ ପରିବାର ।
ବିଶୁଦ୍ଧ ପାନୀୟ ଜଳ ପାଇଁ ଗାଁରେ ୩ଟି ନଳକୂପ ରହିଛି । ହେଲେ ସେଥିରୁ ୨ଟି ସମ୍ପୁର୍ଣ୍ଣ ଭାବେ ଅଚଳ ହୋଇ ପଡିଛି । ଯେଉଁଥିପାଇଁ ଲୋକଙ୍କୁ ପାଣି ମୁନ୍ଦେ ପାଇଁ ଗୋଟିଏ ନଳକୂପ ପାଖରେ ଘଂଟା ଘଂଟା ଅପେକ୍ଷା କରିବାକୁ ପଡୁଛି । ଆଉ ପଂଚାୟତରେ ଯେଉଁ ପାନୀୟ ଜଳ ପ୍ରକଳ୍ପ କରାଯାଇଛି ସେଥିରୁ ୬ମାସ ହେବ ୧ନମ୍ବର ୱାର୍ଡକୁ ଜଳ ଯୋଗାଣ ବନ୍ଦ ହୋଇଯାଇଛି । ଫଳରେ ମହିଳାମାନଙ୍କୁ ନଳକୂପ ପାଖରେ ଗରା, ବାଲଟି ଧରି ଲାଇନ ଲଗାଇବାକୁ ପଡୁଛି ।
ଏ ସମ୍ପର୍କରେ ଗ୍ରାମବାସୀ ସରପଂଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀଙ୍କୁ ଗୁହାରୀ କରିଥିଲେ ମଧ୍ୟ ଏବାବଦରେ କେହିବି ପଦକ୍ଷେପ ଗ୍ରହଣ କରିନାହିଁନ୍ତି । ଅନ୍ୟପଟେ ଆଳି ବ୍ଳକ ବିଡିଓଙ୍କୁ ପଚାରିବାରୁ ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।