ଜଳ ହିଁ ଜୀବନ | ଘରେ ଘରେ ପାନୀୟ ଜଳ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଦେଉଛନ୍ତି ପ୍ରାଥମିକତା | କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଆଜି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ | ଘରେ ଘରେ ପାଣି ଟ୍ୟାପ ଲାଗିଛି ସତ, ହେଲେ ସେଥିରୁ ବାହାରୁନି ପାଣି | କେନ୍ଦୁଝରଗଡ ପୌରପାଳିକାରେ ଆଜି ପର୍ଯ୍ୟାନ୍ତ ପାନୀୟ ଜଳ ଯୋଗାଣ ହୋଇପାରିନି | ଫଳରେ ପୌରପାଳିକାରେ ଦେଖାଦେଇଛି ଉତ୍କଟ ଜଳ ସଙ୍କଟ ।
କେନ୍ଦୁଝରଗଡର ୨୧ ଗୋଟି ୱାର୍ଡରୁ ବିଶେଷ କରି ୪, ୫, ୬ ଏବଂ ୯ନଂ ୱାର୍ଡରେ ଦେଖାଦେଇଛି ଘୋର ଜଳ ସଙ୍କଟ | ପ୍ରଚଣ୍ଡ ଖରାରେ ପୌରବାସୀ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଜଳ ଯୋଗାଣ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ବି ସୁଧୁରୁନି ସ୍ଥିତି | କେନ୍ଦୁଝରଗଡ ପୌରପାଳିକାର ସମସ୍ତ ୱାର୍ଡକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ଵରାନ୍ଵିତ କରାଯିବାକୁ ଦାବି ହୋଇଛି | ନଚେତ ପୌରାଞ୍ଚଳର ଅଧିବାସୀ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି | ଏ ନେଇ ଆଇନଜୀବୀ ସଂଗୀତା ସିଂଙ୍କ ତତ୍ୱାବଧାନରେ ୱାର୍ଡର ଅନେକ ମହିଳା ଏକାଠି ହୋଇ ପିଏଚ୍ ଡି ବିଭାଗକୁ ଯାଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏକ ଲିଖିତ ଅଭିଯୋଗପତ୍ର ଦେଇଛନ୍ତି ।