ନକ୍ସଲ ଲଢେଇ ବିରୋଧରେ ସୀମା ସୁରକ୍ଷା ବାହିନୀରେ ନିୟୋଜିତ କୁକୁରଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ବିଏସଏଫ ପକ୍ଷରୁ ନକ୍ସଲ ଲଢେଇ ବିରୋଧରେ କୁକୁରଙ୍କୁ ଦିଆଯାଇଥିଲା ତାଲିମ | ମୌଳିକ ଆଜ୍ଞା ଅଭ୍ୟାସ, ଦୁର୍ଗନ୍ଧ ଭେଦଭାବ, ବିସ୍ଫୋରକ/ନାର୍କୋଟିକ୍ ଚିହ୍ନଟ, ରିଙ୍ଗ ଜମ୍ପ / ଟ୍ରାକିଂ କରିବା କୌଶଳ ସହିତ ଜଗିବା ଏବଂ ଆକ୍ରମଣ କରିବା ପାଇଁ କୁକୁରମାନଙ୍କୁ ତାଲିମ ଦିଆଯାଇଥିଲା । ମଧ୍ୟପ୍ରଦେଶର ଟେକାନପୁରର ନ୍ୟାସନାଲ ଟ୍ରେନିଂ ସେଣ୍ଟର ଫର ଡଗ୍ସ ଦ୍ୱାରା କୁକୁରମାନଙ୍କୁ ଏହି ତାଲିମ ଦିଆଯାଇଛି।
ମାର୍ଚ୍ଚ ୩ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରାମଗିରି ବିଏସଏଫ ଯବାନଙ୍କ ଦ୍ବାରା ଏକ କୁକୁର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସତୀଶ ଚନ୍ଦ୍ର ବୁଦାକୋଟି, ଆଇଜି, ବିଏସ୍ଏଫ୍ ଓଡିଶା, ମଦନ ଲାଲ, ଡିଆଇଜି, କୋରାପୁଟ, କମାଣ୍ଡାଣ୍ଟ ଅଜୟ କୁମାର ରାମଗିରି ବିଏସ୍ଏଫ୍ କ୍ୟାମ୍ପ ପରିଦର୍ଶନ କରିଥିଲେ। କମାଣ୍ଡାଣ୍ଟ ଅଜୟ କୁମାର ଏହି ଅଞ୍ଚଳର ସୁରକ୍ଷା ଚିତ୍ର ଏବଂ ଦୁର୍ଗମ ଅଞ୍ଚଳରେ ବିଏସଏଫ ଉପସ୍ଥିତିର ଗୁରୁତ୍ୱ ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଏହି କୁକୁର ଶୋ’ରେ ବେଲଜିୟାନ ଶେଫର୍ଡ, ଜର୍ମାନ ଶେଫର୍ଡ ଏବଂ ଲାବ୍ରାଡୋର ରିଟ୍ରିଭରର ପ୍ରଜାତିର କୁକୁର ସାମିଲ ହୋଇଥିଲେ | କୁକୁରମାନେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ। ବିଶେଷକରି ବିଏସଏଫରେ କୁକୁରଙ୍କ ଭୂମିକା ସମ୍ପର୍କରେ ଆଇଜି ସତୀଶ ଚନ୍ଦ୍ର ବୁଦାକୋଟି ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କୁ ବୁଝାଇ ଥିଲେ। କୁକୁର ଶୋ,ରେ ବନ ବିଭାଗର କର୍ମଚାରୀ, ପୋଲିସ, ଗୋପାଳ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ , ସରପଞ୍ଚ ସହ ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତ ଥିଲେ।