ଏବେ ସବୁଠି ଗୋଟିଏ ଟ୍ରେଣ୍ଡ | ଗଙ୍ଗୁବାଇ। ରିଲସ ଠୁ ଆରମ୍ଭ କରି ଫେସବୁକ, ୟୁଟ୍ୟୁବ୍ ସବୁଠି ଏବେ ଗୋଟିଏ ଚର୍ଚ୍ଚା ଗଙ୍ଗୁବାଇ | ତେବେ ଆପଣ ଜାଣିଛନ୍ତି କି କିଏ ଏଇ ଗଙ୍ଗୁବାଇ ? କାହିଁକି ତାଙ୍କ ନାମରେ ନିର୍ମାଣ କରାଯାଇଛି ଫିଲ୍ମ ? ଯଦି ଜାଣିନାହାନ୍ତି ତାହାଲେ ଏବେ ଜାଣନ୍ତୁ…
ଗୁଜୁରାଟର କାଥିଆୱାଡର ବାସିନ୍ଦା ଥିଲେ ସିଏ। ରୂପଟି ତାଙ୍କର ଗୋଟିଏ ଚାଉଳରେ ଗଢା କହିଲେ ଅତ୍ୟୁକ୍ତି ହେବନି। ଯେ କେହି ବି ଦେଖିଲେ ଆଖି ଲାଖିଯାଏ। ସୁନ୍ଦରୀ ହୋଇଥିବାରୁ ଫିଲ୍ମରେ ଅଭିନୟ କରିବାକୁ ତାଙ୍କ ମନରେ ଥିଲା ପ୍ରବଳ ଇଚ୍ଛା। ହେଲେ ଇଚ୍ଛା ତ ପୂରଣ ହେଲାନି କିନ୍ତୁ ସମୟର ଚଉହଦିରେ ଗଙ୍ଗା ଭଳି ପବିତ୍ର ଓ ସୁନ୍ଦର ନାଁର ରୂପ ସହିତ ଚରିତ୍ର ବି ବଦଳି ଯାଇଥିଲା। ସୁନ୍ଦରୀ ଝିଅ ଗଙ୍ଗା ପାଲଟିଯାଇଥିଲେ ଗଙ୍ଗୁବାଈ ଓରଫ ଗଙ୍ଗୁବାଈ କାଥିଆୱାଡି।
ତେବେ କିଏ ଏହି ଗଙ୍ଗୁବାଈ ? କ’ଣ ପାଇଁ ତାଙ୍କ ନାମରେ ହୋଇଥିବା ହିନ୍ଦୀ ସିନେମାକୁ ନେଇ ହେଉଛି ଚାରିଆଡ଼େ ଚର୍ଚ୍ଚା ? ଆସନ୍ତୁ ଜାଣିବା ଗଙ୍ଗୁବାଈ କାଥିଆୱାଡିଙ୍କ ବିଷୟରେ |
ଗୁଜୁରାଟର କାଥିଆୱାଡି ଭଳି ଗୋଟେ ଛୋଟ ସହରର ଝିଅ ଥିଲେ ସିଏ। ଯେଉଁ କାରଣରୁ ତାଙ୍କୁ ଗଙ୍ଗୁବାଈ କାଥିଆୱାଡି କୁହାଯାଉଥିଲା। ତାଙ୍କର ପ୍ରକୃତ ନାମ ଥିଲା ଗଙ୍ଗା ହରଜିବାନ୍ଦ କାଥିଆୱାଡି । ଯୌବନର ବୟସରେ ପାଦ ଦେଉ ଦେଉ ପ୍ରେମରେ ପଡିଲେ। ପ୍ରେମ… କାହାକୁ ବା ଇଛା ନଥାଏ। ସମସ୍ତଙ୍କର ଇଛା ଥାଏ ମନଲାଖି ବର ଟିଏ।ସେମିତି ୧୬ ବର୍ଷ ବୟସରେ ସେ ନିଜ ପିତାଙ୍କ ଆକାଉଣ୍ଟାଣ୍ଟଙ୍କ ପ୍ରେମରେ ପଡିଗଲେ। ତାଙ୍କୁ ବିବାହ କରିବା ପରେ ଘର ଛାଡ଼ି ମୁମ୍ବାଇ ଚାଲି ଆସିଲେ। ଆଉ ସଦାବେଳେ ଜଣେ ଅଭିନେତ୍ରୀ ହେବାର ଇଛା ତାଙ୍କ ମନରେ ଥିଲା। ନିଜର ଇଛା ଓ ଆଶାକୁ ସେ ହେମା ମାଲିନିଙ୍କ ଜଣେ ବଡ଼ ପ୍ରଶଂସକ ହେଇ ସ୍ଵପ୍ନ ଦେଖୁଥିଲେ। ମାତ୍ର ତାଙ୍କର ଏହି ସ୍ଵପ୍ନ ଶାକାର ହେବା ପୂର୍ବରୁ ପ୍ରତାରଣାର ବିଷ ତାଙ୍କୁ ଦେହଜିବୀ ବନେଇଦେଲା। ଜୀବନ ଠୁ ଅଧିକା ଭଲ ପାଉଥିବା ନିଜ ସ୍ଵାମୀ ମାତ୍ର ୫୦୦ ଟଙ୍କାରେ ତାଙ୍କୁ ମୁମ୍ବାଇର ସବୁଠାରୁ ବଡ ବେଶ୍ୟାପଡାରେ ବିକ୍ରି କରି ଦେଇଥିଲେ। ଆଉ ତା ପରେ ଗଙ୍ଗା ପାଲଟିଗଲେ ଗଙ୍ଗୁବାଈ।
ହୁସେନ୍ ଜଏଦୀଙ୍କ ପୁସ୍ତକ ଅନୁଯାୟୀ, ମାଫିଆ ଡନ୍ କରିମ୍ ଲାଲାଙ୍କ ଗ୍ୟାଙ୍ଗର ଜଣେ ସଦସ୍ୟ ଗଙ୍ଗୁବାଈଙ୍କୁ ବଳାତ୍କାର କରିଥିଲେ। ଏହା ପରେ ସେ ହାରି ନଯାଇ କରିମ ଲାଲାଙ୍କୁ ଭେଟିଥିଲେ। ଏବଂ ତାଙ୍କୁ ନ୍ୟାୟ ପାଇଁ ଭିକ୍ଷା ମାଗିଥିଲେ। ଆଉ କରିମଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ଭାଇ କରିଥିଲେ। କରିମ ଲାଲାଙ୍କ ଭଉଣୀ ହେବା ପରେ ତାଙ୍କର ପ୍ରଭାବ ବିସ୍ତାର ହେବାରେ ଲାଗିଲା। ସେ ଜଣେ ସଫଳ ମହିଳା ଡନ୍ ହେବାକୁ ଲାଗିଲେ। ଏହାବ୍ୟତୀତ ସେ ମୁମ୍ବାଇର ହେରାମାଣ୍ଡି ରେଡ୍ ଲାଇଟ୍ ଅଞ୍ଚଳରେ ଏକ ସେକ୍ସ ରାକେଟ୍ ମଧ୍ୟ ଚଳାଇଥିଲେ। ହେଲେ ମାନବିକତା ଭୂଲି ନଥିଲେ। ଝିଅର ବିନା ସହମତିରେ କୌଣସି ଝିଅକୁ ନିଜ ବେଶ୍ୟାଳୟରେ ରଖୁ ନ ଥିଲେ ଗଙ୍ଗୁବାଈ।
ଗଙ୍ଗୁବାଈ ଅନାଥ ଓ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଭିନ୍ନ ବର୍ଗର ମହିଳାଙ୍କ ସମସ୍ୟାର ସମାଧାନ ପାଇଁ କାମ କରୁଥିଲେ। ଯେଉଁମାନେ ଚଳଚ୍ଚିତ୍ରରେ କାମ କରିବା ପାଇଁ ଘରୁ ପଳାଇ ଆସୁଥିଲେ ଏବଂ ଗଣଦୁଷ୍କର୍ମରେ ଫସି ରହିଥିଲେ ଗଙ୍ଗୁବାଈ ସେମାନଙ୍କୁ ପରାମର୍ଶ ଦେଇ ପଠାଇ ଦେଉଥିଲେ । ଏହି କାରଣରୁ, ସମ୍ମାନର ପଦବୀରେ ଗୋଟେ ନୁଆ ପରିଚୟ ପାଇଥିଲେ। ଗଙ୍ଗା ମା। ଏଇ ନାଁ ରେ ଅନେକ ଆତ୍ମୀୟତା, ଭଲପାଇବା ତାଙ୍କ ଅଖି ଆଗରେ ନାଚି ବୁଲୁଥିଲା।
୨୦୧୧ ମସିହାରେ ମୁମ୍ବାଇର ମାଫିଆ କୁଇନ୍ସ ନାମରେ ତାଙ୍କ ଜୀବନକୁ ଆଧାର କରି ଗୋଟିଏ ଡକ୍ୟୁମେଣ୍ଟ୍ରି ସାମ୍ବାଦିକ ହୁସେନ୍ ଜାଇଡିଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା। ତାଙ୍କ ପୁସ୍ତକରେ ସେ ଲେଖିଛନ୍ତି ଯେ, ଏକଦା ଗଙ୍ଗୁବାଇ ନେହେରୁଙ୍କୁ ଭେଟିବାକୁ ଯାଇଥିଲେ। ଆଉ ତାଙ୍କୁ କହିଥିଲେ ଯେ ତୁମେ ମୋତେ ମିସେସ ନେହେରୁ କରିଦେଲେ ମୁଁ ଆଉ ଖରାପ କାମ କରିବିନି। ମୋ ଚରିତ୍ରରେ ପରିବର୍ତ୍ତନ ଆଣିବି। ଅର୍ଥାତ୍ ସେ ନେହେରୁଙ୍କୁ ବିବାହ କରିବାକୁ ଏକ ପ୍ରକାର ପ୍ରସ୍ତାବ ଦେଇଥିଲେ। ଏଭଳି କଥା ଶୁଣି ନେହେରୁ ବିରକ୍ତି ହୋଇଥିଲେ। ହେଲେ ନେହେରୁଙ୍କୁ ବୁଝାଇବାକୁ ଯାଇ ଗଙ୍ଗୁବାଈ କହିଥିଲେ, ‘ମୋ କହିବାର କଥାକୁ ଭୁଲ ଅର୍ଥରେ ଗ୍ରହଣ କରନ୍ତୁ ନାହିଁ। ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ, ଉପଦେଶ ଦେବା ଏକ ସହଜ କଥା….କିନ୍ତୁ ନିଜେ ତାହାକୁ କାମରେ ଲଗାଇବା କଷ୍ଟକର କଥା।’ ଏହା ଶୁଣି ନେହେରୁ ଆଶ୍ଚର୍ୟ୍ଯ ହୋଇଗଲେ। କିନ୍ତୁ ପରିସ୍ଥିତିର ଚାପରେ ଛନ୍ଦି ହୋଇ ଗଙ୍ଗୁବାଇ ମୁହଁ ଖୋଲିନଥିଲେ।
ତେବେ ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ସିନେମା ଗଙ୍ଗୁବାଈ ବେଶ୍ ଚର୍ଚ୍ଚା ହେଉଛି। ଆଉ ବର୍ତ୍ତମାନ ଯାଏଁ ଏହା ବେଶ ଆଦୃତି ଲାଭ କରିଛି। ନାରୀର ଏହି ଭିନ୍ନ ରୂପକୁ ଦର୍ଶକ ଆଲିଆ ଭଟ୍ଟଙ୍କ ଅଭିନୟରେ ବେଶ ପ୍ରଶଂସା କରୁଛନ୍ତି। ଫିଲ୍ମଟି ସାଧାରଣ ଲୋକଙ୍କ ମନରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି।