1-କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ରାଜସ୍ବ ନିରୀକ୍ଷକlଙ୍କୁ ମରଣାତ୍ମକ ଆକ୍ରମଣ l ରାଜସ୍ବ ନିରୀକ୍ଷକl ସୀମା ସୀମନ୍ତିନୀ ତାଙ୍କ କାର୍ଯ୍ୟାଳୟରେ ସୋମବାର ଦିନ କାର୍ଯ୍ୟ କରୁଥିବା ସମୟରେ ବାଁଖିଡି ଗ୍ରାମର ଗୋବିନ୍ଦ ଜେନା ନାମକ ଜଣେ ବ୍ୟକ୍ତି ଏକ କଟୁରୀ ଦ୍ୱାରା ତାଙ୍କୁ ଆକ୍ରମଣ କରିଥିଲେ l ଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା l ତାଙ୍କୁ ତୁରନ୍ତ ସ୍ଥାନୀୟ ଆନନ୍ଦପୁର ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା l ତେବେ କେଁଉ କାରଣରୁ ଗୋବିନ୍ଦ ତାଙ୍କୁ ଆକ୍ରମଣ କଲେ ତାହା ଜଣାପଡି ନାହିଁ l
2-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ସମ୍ପୁର୍ଣ୍ଣ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋତିଆବିନ୍ଦୁ, ଆଖିକୁ ଝାପାସା ଦେଖାଯିବା, ଆଖି ଇନ୍ ଫେକ୍ସନ୍ ହେବା ଭଳି ରୋଗୀଙ୍କ ଚିକିତ୍ସା କରାଯିବା ସହ ମାଗଣା ଔଷଧ ଯୋଗାଇ ଦିଆଯାଇଥିଲା । ଭୂମିକା ଚକ୍ଷୁ ହସ୍ପିଟାଲ ପକ୍ଷରୁ ଏହି ଚକ୍ଷୁ ଶିବିର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହେଉଥିବା ବେଳେ ବର୍ତମାନ ସୁଦ୍ଧା ତିର୍ତ୍ତୋଲ ବ୍ଲକର ୧୧ ଟି ପଞ୍ଚାୟତରେ ଏହି ଶିବିର ଅନୁଷ୍ଠିତ ହୋଇସାରିଛି। ଏହି ଶିବିରରେ ୯୦ ରୁ ଅଧିକ ରୋଗୀ ନିଜ ନିଜର ଚକ୍ଷୁ ଦେଖାଇବା ସହିତ ସେଥିରୁ ୨୦ ଜଣଙ୍କୁ ଚିହ୍ନଟ କରାଯାଇ ଭୂମିକା ଚକ୍ଷୁ ହସ୍ପିଟାଲକୁ ନିଆଯାଇଥିଲା।
3-ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ୟାଡ଼ମିଣ୍ଟନ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଟାଙ୍ଗୀ ବ୍ୟାଡ଼ମିଣ୍ଟନ ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ଟାଙ୍ଗୀ , ବାଲୁଗାଁ , ବାଣପୁର , ଖୋର୍ଦ୍ଧା , ନୟାଗଡ , ରଣପୁର , କଟକ , ପୁରୀ ଇତ୍ୟାଦି ଜିଲ୍ଲାର ବଛାବଛା ବ୍ୟାଡ଼ମିଣ୍ଟନ ଖେଳାଳୀମାନେ ଯୋଗ ଦେଇଥିଲେ । ଏନେଇ ଆୟୋଜିତ ଏହି ଟୁର୍ଣାମେଣ୍ଟରେ ଆଉଟ ଡୋର ୩୨ ଟିମ୍ ଇନଡୋର ୮ ଟିମ୍ ଅଂଶଗ୍ରହଣ କରିଥିଲେ । ୩ ଦିନ ଧରି ଖେଳ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର , ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର , ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ ଯୋଗ ଦେଇଥିଲେ । ଆଉଟ ଡୋର ବିଜେତାଙ୍କୁ ୫ ହଜାର ଟଙ୍କାର ଅର୍ଥରାଶି ସହିତ ଟ୍ରଫି ଏବଂ ଇନଡୋର ବିଜେତାଙ୍କୁ ୭ ହଜାର ଟଙ୍କାର ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯାଇଛି । ଆୟୋଜିତ କ୍ଲବର ସଭାପତି – ଭୀଷ୍ମ ନାରାୟଣ ମହାପାତ୍ର , ସମ୍ପାଦକ – ବିଶ୍ୱ ଭୂଷଣ ମହାପାତ୍ର , ଟାଙ୍ଗୀ ଓକିଲ ସଂଘର ସମ୍ପାଦକ ପୀତବାସ ନାୟକ ଏହି ଟୁର୍ଣାମେଣ୍ଟକୁ ସଂଯୋଜନା କରିଥିଲେ ।
4-ଯାଜପୁର କଳିଙ୍ଗନଗର ସ୍ଥିତ ଟାଟା ପ୍ଲାଣ୍ଟ ପାର୍ଶ୍ୱରୁ ବିପୁଳ ପରିମାଣର ଲୁହା ପ୍ଲେଟ ଓ ଅନ୍ୟାନ୍ୟ ଚୋରା ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । କିଛି ଲୁଟେରା ବିପୁଳ ପରିମାଣର ଲୁହା ପ୍ଲେଟ, ତମ୍ବା ତାର ଚୋରାଚାଲାଣ କରୁଥିବା କଳିଙ୍ଗନଗର ପୋଲିସ ସୂଚନା ପାଇଥିଲା । ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରିୟବ୍ରତ ରାଉତଙ୍କ ନେତୃତ୍ୱରେ ଏକ ଟିମ ଟାଟା ପ୍ଲାଣ୍ଟ ପାର୍ଶ୍ଵରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସାମଗ୍ରୀ ସହ ଏକ ପିକଅପ ଗାଡିକୁ ଜବତ କରିଛି । ଏହି ବେଆଇନ ଚୋରା କାର୍ଯ୍ୟରେ ଲିପ୍ତ ଥିବା ତିନିଜଣ କବାଡ଼ିଆ ଢେଙ୍କାନାଳ ଜିଲ୍ଲାର ପିଙ୍ଗୁଆ ଗ୍ରାମର ବିଶ୍ୱରଞ୍ଜନ ହାତୀ ,କବାଟବନ୍ଧ ଗ୍ରାମର ଚୈତନ୍ୟ ପ୍ରଧାନ, ବିହାର ଅଞ୍ଚଳର ଉମେଶ କୁମାରଙ୍କୁ କଳିଙ୍ଗନଗର ପୋଲିସ ଗିରଫ କରିଛି । ଏଥିସହିତ ଏହି କେଶରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ବିହାର ଅଞ୍ଚଳର ଧର୍ମପାଳ କୁମାର, କଳିଙ୍ଗନଗର ଥାନା ଅନ୍ତର୍ଗତ ବାଘୁଆପାଳ ଗ୍ରାମର ସୋମନାଥ ପିଙ୍ଗୁଆ, ମଟା ପୂର୍ତ୍ତି, ଶିବ ବିରୁଆଙ୍କୁ କଳିଙ୍ଗନଗର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଚୋରା କାର୍ଯ୍ୟରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି କଳିଙ୍ଗନଗର ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରିୟବ୍ରତ ରାଉତ ।
5-ଜଗତପୁରରେ ଓଡିଶା ମୋ ପରିବାର ଓ ବାଳୁଙ୍ଗା ଗ୍ରୁପ ମିଳିତ ଆନୁକୂଲ୍ୟରେ କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l 35 ନମ୍ବର ୱାର୍ଡସ୍ଥିତ ବିରୂପା ପଠାରେ ଆୟୋଜିତ ଶିବିରକୁ ସର୍ବ ପ୍ରଥମେ ଓଡିଶାର କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ରିବନ ଫିତା କାଟି ଉଦଘାଟନ କରିଥିଲେ l ମହାକlଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ରୂପେ କାଯ୍ୟକ୍ରମରେ ଯୋଗ ଦେଇଥିଲେ l ପୂର୍ବତନ କର୍ପୋରେଟର ଦୀପାଳି ବାଳl ଭୂୟାଁ ରକ୍ତଦାନ ଶିବିରରେ ସହଯୋଗ କରିଥିଲେ l ଏହି ଶିବିରରେ ମୋଟ 120 ୟୁନିଟ ରକ୍ତ ସଂଗ୍ରହ କରାଯିବ ବୋଲି ବାଳୁଙ୍ଗା ଗ୍ରୁପ ର ସଭାପତି ପ୍ରକାଶ କରିଥିଲେ l
6-କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରାଯାଇଛି । ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଜନାର୍ଦ୍ଦନପୁର, କଳମିଶ୍ରି, ବନ୍ଧୁପୁର ପଞ୍ଚାୟତରେ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରିବା ସହ କେତେକ ପ୍ରକଳ୍ପ ଉଦଘାଟନ କରିଥିଲେ । ଶେଷରେ ସାନ୍ତପୁର ପଞ୍ଚାୟତରେ ଚିତ୍ରୋତ୍ପଳା ସେତୁର ଉଭୟ ପାର୍ଶ୍ୱ ରେ ସ୍ବର୍ଗତ ପୂର୍ବତନ ମନ୍ତ୍ରୀ କାଳିନ୍ଦୀ ବେହେରା ଏବଂ ପୂର୍ବତନ ବିଧାୟକ ମାୟାଧର ସେଠୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ସାନ୍ତପୁର ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ମୁଖ୍ୟ ଅତିଥି, ଚଳଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ବିଧାୟକ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇ ବିଜୁ ସ୍ୱାସ୍ଥ୍ୟ କାର୍ଡର ଉପଯୋଗୀତା ଓ ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରତିମୂର୍ତ୍ତି ସ୍ଥାପନ କମିଟି ସଭାପତି ଭୈରବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡା. ରଶ୍ମିତା ସେଠୀ, ବି ଡି ଓ କର୍ଣ୍ଣଦେବ ସମାଦାର, ପ୍ରମୋଦ ମହାପାତ୍ର, ସରପଞ୍ଚ ବିଜୟ ଲକ୍ଷ୍ମୀ ମୁଦୁଲି, ପ୍ରମୁଖ ଉଦବୋଧନ ଦେଇ ଥିଲେ।