ଏନଏନଏସ୍: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପରେ ଏବେ ଚାଲିଛି ରଥ ଭଙ୍ଗା କାମ। ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆଜି ଠାରୁ ତିନି ରଥ ଭଙ୍ଗା କାମ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ନିୟମ ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗାଯିବା ପରେ ତାଳଧ୍ୱଜ ରଥ ଭଙ୍ଗାଯିବ। ଏହାପରେ ନନ୍ଦିଘୋଷ ରଥ ଭଙ୍ଗାଯିବାର ପରମ୍ପରା ରହିଛି।
ତେବେ ଗୋଟିଏ ରଥକୁ ଭାଙ୍ଗିବା ପାଇଁ ୪ଦିନ ସମୟ ଲାଗିବ। ସେହିପରି ତିନି ରଥ ଭାଙ୍ଗିବା ପାଇଁ ୧୦ରୁ ୧୨ ଦିନ ସମୟ ଲାଗିବ। ରଥ ଭଙ୍ଗାଯିବା ପରେ ସିଂହାସନ, ପ୍ରଭା, ନାଟଗୋଡ଼, ଗୁଜ ଓ ଚକକୁ ନେଇ ଗୁଣ୍ଡିଚା ମନ୍ଦିର ଭିତରେ ରଖାଯିବ। ତାହାକୁ ବିକ୍ରି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥାଏ। ଅନ୍ୟପଟେ ବଳକା ଭଙ୍ଗା କାଠଗୁଡ଼ିକୁ ଦୋଳବେଦୀ କୋଣରେ ରଖିବା ପରେ ତାହା ଚିରଟ କରାଯାଇ ମହାପ୍ରସାଦ ରୋଷେଇ ପାଇଁ ଜାଳେଣୀ ଆକାରରେ ବ୍ୟବହାର କରାଯାଏ। ଶ୍ରୀମନ୍ଦିରର ଭେଇ ସେବକମାନେ ଏହି ରଥଭଙ୍ଗା ସମୟରେ ନିୟୋଜିତ ଥିବା ବେଳେ ରଥ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।