ଦେଶରେ ପ୍ରଥମ ଥର ପାଇଁ କୌଣସି ଦିବ୍ୟାଙ୍ଗ କ୍ୟାଡେଟଙ୍କୁ ବାୟୁସେନାରେ ସାମିଲ କରାଯାଇଛି । ଦିବ୍ୟାଙ୍ଗ କ୍ୟାଡେଟ ଯୋଗେଶ ଯାଦବଙ୍କୁ ଫ୍ଲାଇଙ୍ଗ୍ ଅଫିସର ଭାବେ ନିଯୁକ୍ତି କରାଯାଇଛି । ଯୋଗେଶ ଯାଦବ ବାୟୁସେନାରେ ସାମିଲ ହେବା ପୂର୍ବରୁ ମିଲିଟାରୀ ଟ୍ରେନିଂ ନେଉଥିବା ବେଳେ ଆଘାତ ଲାଗି ତାଙ୍କ ପିଠିର ତଳଭାଗ ପାରାଲିସରେ ଶିକାର ହୋଇଥିଲା । ହେଲେ ଏହାକୁ ଏକ ସ୍ୱତନ୍ତ୍ର ମାମଲା ଭାବେ ବାୟୁସେନା ଗ୍ରହଣ କରି ଯୋଗେଶ ଯାଦବଙ୍କୁ ଅଫିସର ଭାବେ ନିଯୁକ୍ତି ଦେଇଛି ।ଶୁକ୍ରବାର ଦିନ ଡୁଣ୍ଡିଗଲ (ହାଇଦ୍ରାବାଦ) ସ୍ଥିତ ବାୟୁସେନା ଏକାଡେମୀରେ ଅନୁଷ୍ଠିତ ପାସିଙ୍ଗ ଆଉଟ ପ୍ୟାରେଡରେ ନିଜେ ବାୟୁସେନା ପ୍ରମୁଖ, ଏୟାର ଚିଫ୍ ମାର୍ଶଲ ବି.ଆର ଚୌଧୁରୀ ଯୋଗେଶଙ୍କୁ ବାୟୁସେନାର ଫ୍ଲାଇଙ୍ଗ ଅଫିସର ଭାବେ ସାମିଲ କରିଛନ୍ତି । ତେବେ ଏହା ଭାରତୀୟ ସେନା ଇତିହାସରେ ପ୍ରଥମ ଘଟଣା । କାରଣ ଭାରତୀୟ ସେନାର ୩ ଟି ବିଭାଗରେ ଯଦି କୌଣସି କ୍ୟାଡେଟ ଟ୍ରେନିଂ ସମୟରେ ବିକଳାଙ୍ଗ ହୋଇଯାନ୍ତି ତେବେ ତାଙ୍କୁ ଷ୍ଟାଇପେଣ୍ଡ ସହ ବାହାର କରିଦିଆଯାଏ ।