କେନ୍ଦ୍ରାପଡ଼ା(ଏନଏନଏସ୍): କୂଅରୁ ବାହାରୁଛି ତେଲ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବେଲତଳ ଗାଁର ସୁଦର୍ଶନ ବିଶ୍ୱାସଙ୍କ କୂଅରୁ ଶହଶହ ଲିଟର ଡିଜେଲ୍ ବାହାରୁଛି । ଏନେଇ ଯାଞ୍ଚ ଜାରି ରହିଛି । ସୂଚନା ମୁତାବକ ଏହି କୂଅଟି ପ୍ରଥମେ ପାଣି ପାଇଁ ବ୍ୟବହାର କରାଯାଉଥିଲା । ହେଲେ ଏବେ ଏହି କୂଅ ଭିତରୁ ଡିଜେଲ୍ ବାହାରୁଛି । ଏହାକୁ ଦେଖି କୂଅ ଖୋଳିଥିବା ଲୋକମାନେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି ।
କୂଅର ମାଲିକ କହିଛନ୍ତି, କିଛି ଦିନ ପୂର୍ବରୁ କୂଅରୁ ପାଣି କାଢିଲେ ତାହା ଟିକେ ଟିକେ ଡିଜେଲ ଭଳି ବାସ୍ନା ହେଉଥିଲା। ଏହାକୁ ସେମାନେ କେହି କୁଅରେ ତେଲ ପକାଇ ଦେଇଥିବା କଥା ଅନୁମାନ କରିଥିଲେ। ହେଲେ ଏବେ କୁଅ ଭିତରୁ ପାଣି ବଦଳରେ କେବଳ ଡିଜେଲ ବାହାରିବାକୁ ନେଇ ସେମାନେ ବିଶ୍ୱାସ କରିପାରି ନାହାଁନ୍ତି। ଏହାପରେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ। ପ୍ରଶାସନ ସେଠାରେ ପହଂଚି କୂଅ ଭିତରୁ ପାଣି ବାହାର କରି ତାକୁ ପରୀକ୍ଷା କରିବା ପରେ ଏବେ ଶତ ପ୍ରତିଶତ ଡିଜେଲ ବୋଲି ପ୍ରମାଣ ମିଳିଛି।