ସାରା ବିଶ୍ୱରେ କ୍ରିକେଟିୟର ମହେନ୍ଦ୍ର ସିଂ ଧୋନିଙ୍କ ବହୁତ ପ୍ରଶଂସକ ଅଛନ୍ତି । ହେଲେ ଏମିତି କିଛି ପ୍ରଶଂସକ ଅଛନ୍ତି ଯେଉଁମାନେ ଧୋନିଙ୍କ ଟିକେ ଝଲକ ପାଇବା ପାଇଁ ଅସାଧ୍ୟ କାମ କରିବାକୁ ମଧ୍ୟ ପଛାଉ ନାହାନ୍ତି । ଧୋନିଙ୍କ ଏମିତି ଏକ ପ୍ରଶଂସକଙ୍କୁ ଦେଖିବାକୁ ମିଳିଛି । ଯିଏକି ଧୋନିଙ୍କୁ ଟିକେ ଦେଖିବା ପାଇଁ ହରିୟାଣାରୁ ୧୪୩୬ କିଲୋମିଟର ଚାଲି ଚାଲି ଆସି ରାଞ୍ଚିରେ ପହଞ୍ଚିଛନ୍ତି । ଏହି ପ୍ରଶଂସକ ଜଣକ ହେଲେ ହରିୟାଣା ଜଲାନଖେଡ଼ାର ୧୮ ବର୍ଷୀୟ ଯୁବକ ଅଜୟ ଗିଲ୍ । ଅଜୟଙ୍କୁ ହରିୟାଣାରୁ ରାଞ୍ଚିରେ ପହଞ୍ଚିବା ପାଇଁ ୨୦ ଦିନ ସମୟ ଲାଗିଥିଲା । ଅଜୟ ଚାଲି ଚାଲି ତାଙ୍କ ପାଦରୁ ପୂରା ଛାଲ ବାହାରି ଯାଇଛି । ବୁଧବାର ସନ୍ଧ୍ୟାରେ ସେ ଧୋନିଙ୍କ ଫାର୍ମହାଉସ୍ରେ ଦେଖା କରିଛନ୍ତି । ଅଜୟ ଧୋନିଙ୍କୁ ଦେଖି ଅତ୍ୟନ୍ତ ଖୁସି ହୋଇଯାଇଥିଲେ । ଏପରିକି ସେ ଧୋନିଙ୍କୁ ଆଇ ଲଭ୍ ୟୁ ମଧ୍ୟ କହିଥିଲେ । ଅଜୟ କହିଛନ୍ତି ଯାହାଙ୍କୁ ଦେଖା କରିବା ପାଇଁ ତାଙ୍କର ବହୁତ ଦିନର ସ୍ୱପ୍ନ ଥିଲା ତାହା ଆଜି ପୂରଣ ହୋଇଛି । ଆଜିର ଦିନ ତାଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ । ଆଜି ସେ ନିଜକୁ ବହୁତ ଭାଗ୍ୟଶାଳୀ ମଧ୍ୟ ଭାବୁଛନ୍ତି । ଅଜୟଙ୍କୁ ବୁଧବାର ରାତିରେ ରହିବା ପାଇଁ ଧୋନି ତାଙ୍କ ରାଞ୍ଚି ସିମାଲିୟାସ୍ଥିତ ଫାର୍ମ ହାଉସରେ ବ୍ୟବସ୍ଥା କରିଥିଲେ । ଧୋନି ତାଙ୍କ ସହିତ ଫଟୋ ଉଠାଇବା ସହ ଅଜୟଙ୍କୁ ଅଟୋଗ୍ରାଫ୍ ମଧ୍ୟ ଦେଇଥିଲେ । ଅଜୟ ଘରକୁ ଫେରିବା ପାଇଁ ଧୋନି ବିମାନ ଟିକେଟ ମଧ୍ୟ କରିଦେଇଥିଲେ । ଏହି ବର୍ଷ ଜୁଲାଇ ମାସରେ ମଧ୍ୟ ଅଜୟ ରାଞ୍ଜି ଯାଇଥିଲେ ଧୋନିଙ୍କୁ ଭେଟିବା ପାଇଁ । କିନ୍ତୁ ଧୋନି ସେହି ସମୟରେ ରାଞ୍ଚିରେ ନ ଥିଲେ ।