ବହୁ ଚର୍ଚ୍ଚିତ ଢିଙ୍କିଆ ଏବେ ଅଶାନ୍ତ | ପୋଲିସ ଓ ଗ୍ରାମବାସୀ ହୋଇଛନ୍ତି ମୁହାଁମୁହିଁ | ଆରମ୍ଭ ହୋଇଯାଇଛି ଟେକା ପଥର ବୃଷ୍ଟି | ଏହି ଆନ୍ଦୋଳନର ମୁଖ୍ୟ ଅସ୍ତ୍ର ସାଜିଛନ୍ତି କୁନି କୁନି ସ୍କୁଲ ପିଲା | ବିରୋଧୀ ଗ୍ରାମବାସୀଙ୍କୁ ଗିରଫଦାରି ଆରମ୍ଭ କରିଦେଇଛି ପୋଲିସ | ଗାଁ ଦାଣ୍ଡରେ ପୋଲିସ ପଇଁତରା ମାରିବା ସହ ଘର ଭିତରୁ ଲୋକଙ୍କୁ ଟେକି ଆଣି କରୁଛି ଗିରଫଦାରି | ପୋଲିସକୁ ବିରୋଧ କରି ଲୋକେ ଟେକା ଓ ପଥର ମାଡ କରୁଥିବା ଦୃଶ୍ୟ ଆଜି ଜଗତସିଂହପୁର ଜିଲ୍ଲାର ଢିଙ୍କିଆରେ ଦେଖିବାକୁ ମିଳିଛି | ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ପୋସ୍କୋ ଯିବା ପରେ ଏବେ ଆସିଛି ଜିନ୍ଦଲ ପ୍ରକଳ୍ପ | ଯାହାକୁ ନେଇ ପ୍ରଶାସନ ହୋଇ ଉଠିଛି ତତ୍ପର | ଜିଲା ପ୍ରଶାସନ ପୋଲିସ ସହାୟତାରେ ସୀମା ନିର୍ଦ୍ଧାରଣ କରିବାକୁ ଆସି ଲୋକଙ୍କ ବିରୋଧ ର ସମ୍ମୁଖୀନ ହେବାକୁ ପଡିଥିଲା ବେଳେ ଏବେ ଆନ୍ଦୋଳନର ଆଗ ଧାଡ଼ିରେ ଆସୁଛନ୍ତି କୁନି କୁନି ପିଲା | ସ୍କୁଲ ପିଲାମାନେ ଆଜି ପୋଲିସକୁ ଟେକା ପଥର ଫିଙ୍ଗି ଗାଁରୁ ବାହାର କରୁଥିଲେ | ଏପରିକି ପୋଲିସ ମଧ୍ୟ ନିଜ ଜୀବନ ବଞ୍ଚେଇଵାକୁ ଯାଇ ସେମାନଙ୍କ ଉପରକୁ ପାଲଟା ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା | ଅନ୍ୟପକ୍ଷରେ ଢିଙ୍କିଆରେ ଆନ୍ଦୋଳନର ନେତୃତ୍ବ ନେଉଥିବା ଦେବେନ୍ଦ୍ରଙ୍କ ଘରେ ପୋଲିସ ପଶି ତାଙ୍କ ଦାଦା ଓ ଭଉଣୀଙ୍କୁ ଗିରଫ କରିଥିବା ଜଣାପଡିଛି | ଏହି ଘଟଣା ପରେ ଗ୍ରାମରେ ବୃଦ୍ଧି ପାଇଛି ଉତେଜନା | ଉଗ୍ର ହୋଇଛି ପରିବେଶ | ଯାହାକୁ ନେଇ ଏବେ ସମଗ୍ର ଢିଙ୍କିଆ ଅଶାନ୍ତ ହୋଇପଡିଛି | ଲୋକଙ୍କ ସହ ପୋଲିସ ମୁହାଁମୁହିଁ ହେଉଥିବା ବେଳେ ପରିସ୍ଥିତି ଯେ ଆଗକୁ କି ରୂପ ନେବ ତାହା କିଏ କହିବ ବୋଲି ଆଲୋଚନା ହେଉଛି |