ସବୁଆଡେ ଖାଁ ଖାଁ | ପୂରା ଜନଶୂନ୍ୟ ହୋଇପଡିଛି ଢ଼ିଙ୍କିଆ | ପାନ, ମୀନ ଓ ଧାନର ଅଂଚଳ ଢ଼ିଙ୍କିଆର ସାଧାରଣ ମଣିଷର ଜୀବନ ଏବେ ଦୁର୍ବିସହ । ଗୋଟିଏ ପଟେ ପୋଲିସ ଗିରଫଦାରୀ ଭୟରେ ଲୁଚିଥିବା ଢ଼ିଙ୍କିଆବାସୀଙ୍କ ରୋଜଗାର ସବୁଆଡୁ ବନ୍ଦ | ଘରେ ଘରେ ପୋଲିସ ମାଡରେ ଆହତ ମଣିଷ , ଏପରିକି ଡାକ୍ତରଖାନାକୁ ଆସିବାକୁ ମଧ୍ୟ ଭୟ କରୁଛନ୍ତି ଲୋକେ । ଗୋଟିଏ ପୁଞ୍ଜିପତିର ସ୍ଵାର୍ଥ ପାଇଁ କିପରି ପୋଲିସ ପ୍ରଶାସନ ହିଂସୁକ ହୋଇପାରନ୍ତି ଏହା ହେଉଛି ତାହାର ସଦ୍ୟତମ ଉଦାହରଣ ବୋଲି ଆଲୋଚନା ହେଉଛି । ଜଗତସଂହପୁର ଜିଲ୍ଲାର ଏରସମା ବ୍ଲକ୍ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଅଞ୍ଚଳର ଅଧିବାସୀମାନେ ନିଜର ଜୀବନ ଜୀବିକା, ଭିଟାମାଟି ଓ ଅଧିକାର ପାଇଁ ଲଢ଼େଇ ଜାରି ରଖିଛନ୍ତି | ଅନ୍ୟପକ୍ଷରେ ଜିନ୍ଦଲ କମ୍ପାନୀର କିଛି ଅଧିକାରୀ ଓ ଜିଲ୍ଲା ପ୍ରଶାସନ ପୋଲିସ୍ ବଳ ପ୍ରୟୋଗ କରି ନିରୀହ ଶିଶୁ , ମହିଳା, ବୃଦ୍ଧ, ବୃଦ୍ଧା ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କୁ ଅମାନୁଷିକ ଭାବେ ଯେଉଁଭଳି ମରଣାତ୍ମକ ଆକ୍ରମଣ କରିଥିଲା ଏହି ଘଟଣାକୁ ସବୁ ଆଡୁ ନିନ୍ଦା କରାଯାଉଛି | ଢିଙ୍କିଆ ବାସୀ ପ୍ରଶାସନର ଭୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମତ ଦେବା ପରିବର୍ତେ ନିରବ ରହିବାକୁ ବାଧ୍ୟ ହେଉଛନ୍ତି | ଅପରପକ୍ଷେ ଏଠାରେ ବାସ କରୁଥିବା ୧୫୦୦୦ରୁ ଉର୍ଦ୍ଧ ପରିବାର ସିଧାସଳଖ ଭାବେ ନିଜର ଜୀବିକା ହରାଇବା ଦ୍ଵାରା ଜିଲ୍ଲାର ବେକାରୀ ସମସ୍ୟା ବୃଦ୍ଧି ପାଇଛି | ପୂର୍ବରୁ ସ୍ଥାନୀୟ ଲୋକେ ଶିଳ୍ପ ପାଇଁ ନିଜର ବୃତ୍ତି, ଭିଟାମାଟି ଓ ଜମି ହରେଇ ନିଯୁକ୍ତି ପାଇଁ ସ୍ଥାନୀୟ ନେତା ଓ ଅଧିକାରୀମାନଙ୍କ ପାଖରେ ମୁଣ୍ଡ ପିଟୁଥିବା ବେଳେ, ସରକାର ଜିନ୍ଦଲ ପ୍ରୀତିରେ ପାନବରଜ ଭାଙ୍ଗି ଜଗତସିଂହପୁର ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ପେଟରେ ଗୋଇଠା ମାରିଥିବା ଅଭିଯୋଗ ହୋଇଛି | ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେବା, ଅଧିକ ବେକାରୀ ଶିକ୍ଷିତ ଯୁବକ ଯୁବତୀ ସୃଷ୍ଟି ହେବା, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା, ମାନବ ଅଧିକାର କ୍ଷୁର୍ଣ୍ଣ ହେବା ଭଳି ସମସ୍ୟା ଦେଖାଦେଉଛି ବୋଲି ସମାଜସେବୀମାନେ ମତବ୍ୟକ୍ତ କରିଛନ୍ତି । ତେଣୁ ସରକାର ପ୍ରଥମେ ଢ଼ିଙ୍କିଆ ବାସୀଙ୍କୁ ସେମାନଙ୍କ କ୍ଷତିପୂରଣ ଦେଇ ନିଃସର୍ତ୍ତ କ୍ଷମା ମାଗିବା ସହ ଜିନ୍ଦଲ ପ୍ରକଳ୍ପକୁ ନେଇ ସେମାନଙ୍କ ନାମରେ ରୁଜୁ ହୋଇଥିବା ମିଥ୍ୟା ମକଦ୍ଦମାଗୁଡ଼ିକ ପ୍ରତ୍ୟାହାର କରନ୍ତୁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ବିଭିନ୍ନ ମଞ୍ଚ ଦାବି କରି ଆସୁଛନ୍ତି | ଆଗାମୀ ଦିନରେ ଉପରୋକ୍ତ ବିଷୟକୁ ନେଇ ଜିଲ୍ଲାର ବିଭିନ୍ନ ବୁଦ୍ଧିଜୀବୀ, ସମାଜସେବୀ ଓ ଶିକ୍ଷିତ ଯୁବ ବର୍ଗକୁ ନେଇ ବିତର୍କ ଆରମ୍ଭ ହେଇଛି | ଜଗତସିଂହପୁର ଜିଲ୍ଲାର ପାରାଦ୍ଵୀପଠାରେ ୨୧ଟିରୁ ଉର୍ଦ୍ଧ ଶିଳ୍ପ ସଂସ୍ଥା ଥିଲେ ମଧ୍ୟ ନିଯୁକ୍ତି ସମସ୍ୟା କାହିଁକି ସମାଧାନ ହୋଇପାରୁନି ତାହା ଚିନ୍ତାର ବିଷୟ ପାଲଟିଛି | ଜମିହରା ପରିବାରଙ୍କ ପାଇଁ ସରକାର ଆଜି ପର୍ଯ୍ୟନ୍ତ କାହିଁକି ଥଇଥାନ ବ୍ୟବସ୍ଥା କରିପାରୁନି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି | ଶିଳ୍ପନୀତି ଅନୁସାରେ ପାରିପାର୍ଶିକ ବିକାଶ ଏବଂ ବନୀକରଣ କାହିଁକି ହେଇ ପାରୁନି ? ପାରାଦ୍ଵୀପ ପୋର୍ଟ ସହିତ ଦୀର୍ଘ ୬୫ବର୍ଷ ଧରି ଲାଗି ରହିଥିବା ଜମି ବିବାଦ କାହିଁକି ସମାଧାନ ହୋଇପାରୁନି ? ପ୍ରଦ୍ୟୁଷଣ ନିୟନ୍ତ୍ରଣ କରିବାକୁ କାହିଁକି ପଦକ୍ଷେପ ନିଆଯାଇନାହିଁ ? ଶିଳ୍ପ ପ୍ରଦ୍ୟୁଷଣ ଯୋଗୁଁ ଅଞ୍ଚଳବାସୀ ବିଭିନ୍ନ ଦୁରାରୋଗ୍ୟ ପୀଡ଼ିତ ଥିଲେ ମଧ୍ୟ ଜିଲ୍ଲାବାସୀଙ୍କୁ କାହିଁକି ଉନ୍ନତ ମାନର ମାଗଣା ସ୍ଵସ୍ଥ୍ୟ ସେବା ଯୋଗାଇ ଦିଆଯାଉନାହିଁ? ଯୁବ ବିକାଶ ନାମରେ କୋଟି କୋଟି ଟଙ୍କା ବ୍ୟୟ ହେଉଥିଲେ ମଧ୍ୟ, ଆମ ଜିଲ୍ଲା କ୍ରୀଡା କ୍ଷେତ୍ରରେ କାହିଁକି ପଛରେ ପଡିଛି ବୋଲି ବିରୋଧୀମାନେ ପ୍ରଶ୍ନ କରିଛନ୍ତି |