ଭଗବାନଙ୍କ ଉପରେ ଭକ୍ତଙ୍କ ରହିଛି ଅତୁଟ ଭକ୍ତି ଓ ବିଶ୍ୱାସ | ଭକ୍ତ ନିଜ ନିଜ ସାମର୍ଥ୍ୟ ଅନୁସାରେ ମନ୍ଦିରକୁ କିଛି କିଛି ଦାନ କରିଥାନ୍ତି | କିନ୍ତୁ ଏମିତି ଜଣେ ଭକ୍ତ ଅଛନ୍ତି ଯିଏ ଦାନ କରିଛନ୍ତି ୬୦ କିଲୋ ସୁନା | କାଶୀ ବିଶ୍ୱନାଥ ମନ୍ଦିରକୁ ଭକ୍ତ ଜଣକ ଏହି ସୁନା ଦାନ କରିଛନ୍ତି। ସେଥିମଧ୍ୟରୁ ୩୭ କିଲୋଗ୍ରାମ ସୁନା ମନ୍ଦିରର ଗର୍ଭଗୃହ ଭିତର କାନ୍ଥରେ ବ୍ୟବହୃତ ହୋଇଛି| ତେବେ ଭକ୍ତ ଜଣକ ତାଙ୍କ ନାମ ଗୋପନୀୟ ରଖିବାକୁ କହିଛନ୍ତି |
ଟ୍ରଷ୍ଟର ବିଭାଗୀୟ ଅଧିକାରୀ ଦୀପକ ଅଗ୍ରୱାଲ କହିଛନ୍ତି , ଜଣେ ଅଜ୍ଞାତ ଭକ୍ତ ମନ୍ଦିରକୁ ୬୦ କିଲୋଗ୍ରାମ ସୁନା ଦାନ କରିଛନ୍ତି। ଏଥିମଧ୍ୟରୁ ୩୭ କିଲୋଗ୍ରାମ ସୁନା ମନ୍ଦିରରେ ବ୍ୟବହୃତ ହୋଇଥିବା ବେଳେ ବାକି ୨୩ କିଲୋଗ୍ରାମ ସୁନା ବଳକା ଅଛି | ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିଥିଲେ । ଏହାପୂର୍ବରୁ ଭକ୍ତ ଜଣକ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ତାଙ୍କର ଦାନ ପ୍ରସ୍ତାବ ପରେ ମନ୍ଦିର କର୍ତ୍ତୃପକ୍ଷ ଆଲୋଚନା କରିବା ପରେ ଦାନ ସୁନାକୁ ମନ୍ଦିର ଗର୍ଭଗୃହ ଭିତର କାନ୍ଥ ଏବଂ ମୁଖ୍ୟ ମନ୍ଦିରର ଗୁମୁଟି ତଳ ଅଂଶକୁ ସୁନାରେ ଆଚ୍ଛାଦିତ କରିବା ପାଇଁ ବ୍ୟବହାର କରାଯିବ ବୋଲି ନିଷ୍ପତି ହୋଇଥିଲା । ଦୀପକ ଅଗ୍ରୱାଲ କହିଛନ୍ତି, ‘ଏହି କାମ ଶେଷ କରିବା ପାଇଁ ଦିଲ୍ଲୀର ଏକ ଫାର୍ମକୁ ନିୟୋଜିତ କରାଯାଇଛି । ଫାର୍ମର କାରିଗରମାନେ ଗର୍ଭଗୃହ କଳାତ୍ମକ କାନ୍ଥକୁ ତମ୍ବା ପାତିଆରେ ଢଲାଈ ପକାଇଥିଲେ | ପରେ ଏହି କାନ୍ଥକୁ ସୁନାରେ ଆଚ୍ଛାଦିତ କରାଯାଇଛି |