ଆଜି ଅବପାତର ରୂପ ନେବ ଲଘୁଚାପ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବା ନେଇ ଆଶଙ୍କା ରହିଛି । ଅବପାତରେ ପରିଣତ ହେବା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ସ୍ପଷ୍ଟ ହେବ । ୧୦ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ । ତେବେ ଆଜି ଅବପାତରେ ପରିଣତ ହେଲା ପରେ ବାତ୍ୟା କେଉଁ ଉପକୂଳ ଛୁଇଁବ, କେବେ ଛୁଇଁବ ସେନେଇ ଆକଳନ କରିହେବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ବାତ୍ୟା ପ୍ରଭାବରେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ୯ ତାରିଖରେ ଘଣ୍ଟା ପ୍ରତି ୬୫ରୁ ୭୫ କିମି ବେଗରେ ପବନ ବହିବ । ୧୦ତାରିଖ ବେଳକୁ ପବନର ବେଗ ବଢ଼ି ୭୦ରୁ ୮୦ କିମି ଓ ଝଟକା ପବନ ଘଣ୍ଟାକୁ ୯୦କିମି ରହିବ । ତେଣୁ ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ୧୦ ତାରିଖରେ ପ୍ରବଳ ବର୍ଷା ନେଇ ଗଂଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ଏବଂ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି, ଆଇଏମ୍ଡି ପକ୍ଷରୁ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ସୂଚନା ମିଳିବା ପରେ ସେହି ଅନୁଯାୟୀ NDRF, ଓଡ୍ରାଫ୍ ଟିମ୍ ମୁତୟନ ପାଇଁ ପ୍ଲାନ କରାଯିବ । ତେବେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ଏସ୍ଆରସି ପ୍ରଦୀପ ଜେନା ।