ଖାଲଖମାରେ ଭର୍ତି ହୋଇଛି କେନ୍ଦ୍ରାପଡା ସହରର ମୁଖ୍ୟ ରାସ୍ତା । ଫଳରେ ଅନେକ ସମୟରେ ଛୋଟ ମୋଟ ଦୁର୍ଘଟଣା ଘଟୁଛି । ବାରମ୍ବାର ଦାବି ସତ୍ୱେ ରାସ୍ତା ମରାମତି ନହେବାରୁ ଆଜି କେନ୍ଦ୍ରାପଡା ନଗର ବିଜେପି ଅଭିନବ ଢଙ୍ଗରେ ଏହାର ପ୍ରତିବାଦ କରିଛି । କେନ୍ଦ୍ରାପଡା ସହରର ବାୟାମଠ ପେଟ୍ରୋଲ ପମ୍ପ ନିକଟରେ ଏକ ଖାଲୁଆ ରାସ୍ତାରେ କଦଳୀ ଗଛ ପୋତି ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି ନଗର ବିଜେପି । ବିଜେପି ଅଭିଯୋଗ କରିଛି ଯେ, ଗତ କିଛି ବର୍ଷ ତଳେ କେନ୍ଦ୍ରାପଡା ସହରର ମୁଖ୍ୟ ରାସ୍ତାର ତିନିମୁହାଣୀଠାରୁ ଅଙ୍ଗୁଳାଇ ପର୍ଯ୍ୟନ୍ତ ନୂଆ ନିର୍ମାଣ କରାଯାଇଥିଲା । ସରକାର ଏଥିପାଇଁ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ । ନିମ୍ନମାନର କାର୍ଯ୍ୟ ହେତୁ ରାସ୍ତା ନିର୍ମାଣ ହେବା ଦିନଠାରୁ ରାସ୍ତା ମରାମତି କାମ ଚାଲିଥିଲା । ପ୍ରତିବର୍ଷ ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀଙ୍କ ପୂଜା ଓ ରଥଯାତ୍ରା ସମୟରେ ରାସ୍ତା ମରାମତି କରାଯାଇଥାଏ । ଗତ ଦୁଇ ବର୍ଷ ହେଲା ରଥଯାତ୍ରା ଓ ଗଜଲକ୍ଷୀଙ୍କ ପୂଜା ପାଳନରେ କୋଭିଡ କଟକଣା ଲାଗିଥିବାରୁ ରସ୍ତା ମରାମତିରେ ମଧ୍ୟ କୋଭିଡ କଟକଣା ଲଗେଇ ଦେଇଛି ପ୍ରଶାସନ । ରାତି ପାହିଲେ ଏହି ଖାଲଖମା ରାସ୍ତାରେ ଲୋକେ ଦୁର୍ଘଟଣାଗ୍ରସ୍ତ ହୋଇ ଧନଜୀବନ ହରାଉଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି । ହେଲେ କାହିଁକି ରାସ୍ତାକାମ କରୁନାହାନ୍ତି ବୋଲି ନଗର ବିଜେପି ପ୍ରଶାସନକୁ ଜବାବ ମାଗିଛି । ରାସ୍ତାରେ କଦଳୀ ଗଛ ପୋତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ବିଜେପି କର୍ମକର୍ତା ।