କେବେ ଝୁଲନ୍ତା ଅବସ୍ଥାରେ ଜେଲ୍ ଭିତରୁ ତ କେବେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ୍ରୁ କଏଦୀଙ୍କ ମୃତଦେହକୁ ଜବତ କରାଯାଇଛି। ଗତ ୮ ବର୍ଷ ମଧ୍ୟରେ ଝାରପଡ଼ା ଜେଲ୍ର ଏଭଳି ୧୦ରୁ ଊର୍ଧ୍ବ କଏଦୀଙ୍କ ମୃତଦେହ ଜବତ ହେଲାଣି। କିଛି କଏଦୀଙ୍କ ଝୁଲନ୍ତା ମୃତଦେହ ଜବତ ବେଳେ ଗୋଡ଼ ତଳେ ଲାଗିଥିବା ଜଣା ପଡ଼ିଛି ତ ପୁଣି କେବେ କିଏ ଝରକାରେ ଫାଶୀ ଦେଇଥିବା ଦେଖା ଯାଇଛି। ଖାଲି ସେତିକି ନୁହେଁ, ଜେଲ୍ରେ କଏଦୀଙ୍କ ରକ୍ତାକ୍ତ ମୃତଦେହ ମଧ୍ୟ ଜବତ ହୋଇଛି। ପୁଲିସ ଏସବୁକୁ ଆତ୍ମହତ୍ୟା କହୁଥିବାବେଳେ ଅନେକ କ୍ଷେତ୍ରରେ ପରିବାର ତାହାକୁ ସହଜରେ ଗ୍ରହଣ କରିନାହିଁ। ଅଧିକାଂଶ ମାମଲାରେ କଏଦୀମାନଙ୍କ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତା’ପରେ କଏଦୀମାନଙ୍କ ଭିତରେ ଥିବା ବିବାଦ ଯୋଗୁଁ ସେମାନଙ୍କୁ ହତ୍ୟା କରା ଯାଇଥିବା ଚର୍ଚ୍ଚା ହୋଇଛି। ଏମିତିକି ମୃତ କଏଦୀଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ମଧ୍ୟ ଆଣିଛନ୍ତି। କିନ୍ତୁ ପ୍ରତ୍ୟେକ ଘଟଣାକୁ ପୁଲିସ ଅପମୃତ୍ୟୁ ନଚେତ୍ ଆତ୍ମହତ୍ୟାର ରୂପ ଦେଇଛି। ସେ ଯୁକ୍ତିରେ କିଛିଲୋକ ସହମତ ହୋଇଛନ୍ତି। ତେଣୁ ଅନେକ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଏବେ ବି ରହସ୍ୟମୟ ହୋଇ ରହିଛି। ସତ୍ୟ ଉଦ୍ଘାଟନ ପାଇଁ କମିସନରେଟ୍ ପୁଲିସ ଯେଉଁ ଭଳି ଢଙ୍ଗରେ ତତ୍ପରତା ଦେଖାଇବା କଥା, ଦେଖାଇ ନାହିଁ
ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ, ଜେଲ୍ରେ ଦଣ୍ଡ ଭୋଗୁଥିବା କଏଦୀ ବା ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁହେଲେ ତାହାର ବିଚାର ବିଭାଗୀୟ ତଦନ୍ତ ହେବ। ଜଣେ ବିଚାରପତିଙ୍କ ନେତୃତ୍ବରେ ଘଟଣାର ତଦନ୍ତ କରାଯିବ। ତେବେ ଝାରପଡ଼ା ଜେଲ୍ରେ ହେଉଥିବା କଏଦୀଙ୍କ ମୃତ୍ୟୁର ତଦନ୍ତ ଏହି ନିର୍ଦ୍ଦେଶାବଳୀ ଅନୁସାରେ ହେଉଛି କି ନାହିଁ, ତାହା ଜଣାପଡ଼ୁନି। ଯଦି ହେଉଛି, ତେବେ ତଦନ୍ତର ଫଳାଫଳ ସମ୍ପର୍କରେ ମୃତକଙ୍କ ପରିବାର ଓ ସାଧାରଣ ଜନତା ଅଜ୍ଞ ରହୁଛନ୍ତି। ଏ ସମ୍ପର୍କରେ ଜେଲ୍ କର୍ତ୍ତୃପକ୍ଷଙ୍କୁ ପଚାରିଲେ, କେହି ମୁହଁ ଖୋଲିବାକୁ ନାରାଜ। ଫଳରେ ଜେଲ୍ରେ କଏଦୀଙ୍କ ମୃତ୍ୟୁ ଘଟିଲେ, ପ୍ରତିଥର ଚର୍ଚ୍ଚାହୁଏ ଓ ଲୋକଙ୍କର ସନ୍ଦେହ ଆହୁରି ବଢ଼ିଯାଏ। ଅନ୍ୟସବୁ ମାମଲା ଭଳି ପୁଲିସ ବା କର୍ତ୍ତୃପକ୍ଷ କଏଦୀ ମୃତ୍ୟୁ ମାମଲାରେ ସ୍ପଷ୍ଟ ଭାବେ କିଛି କହୁ ନଥିବାରୁ ଏହି ସ୍ଥିତି ଉପୁଜୁଛି।