ପୁରୀ ,(ଏନଏନଏସ ଓଡ଼ିଆ /୨୪.୦୩): ପୁରୀ ସ୍ୱର୍ଗଦ୍ବାର ସମ୍ମୁଖ ବେଳାଭୂମିରେ ଏକ ବଡ ଅଲିଭ୍ ରିଡଲେ କଇଁଚ୍ଛର ମୃତଦେହ ପଡି ରହିଛି, ଯାହାର ଓଜନ ପ୍ରାୟ ଆଠକେଜି ହେବ ବୋଲି ଅନୁମାନ କରାଯାଉଛି। ସବୁଠାରୁ ବଡକଥା ହେଲା ବର୍ତ୍ତମାନ କଇଁଚ୍ଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ମୃତ କଇଁଚ୍ଛ ପାଖରେ ତାର ଅଣ୍ଡା ଗୁଡିକ ମଧ୍ୟ ପଡି ରହିଛି। ସମୁଦ୍ର ଭିତରେ ଟ୍ରଲର କି ଡଙ୍ଗାର ମାଡରେ ମୃତ୍ୟୁବରଣ କରିଥିବା ପରିବେଶବିତ ମାନେ ଅନୁମାନ କରୁଛନ୍ତି। ଅଣ୍ଡାଦାନ ସମୟରେ ପୁରୀର ବିସ୍ତିର୍ଣ୍ଣ ବେଳାଭୁମୀକୁ ବିରଳ ଅଲିଭରିଡଲେ କଇଁଛ ମାନେ ଉପଯୁକ୍ତ ସୁରକ୍ଷିତ ସ୍ଥାନ ଭାବେ ବାଛିଥାନ୍ତି। ଏହି ସମୟରେ ଲକ୍ଷଲକ୍ଷ କଇଁଛ ପୁରୀର ଅସ୍ତରଙ୍ଗ ଠାରୁ ଆରମ୍ଭ କରି ସାତପଡା ପର୍ଯ୍ୟନ୍ତ ଆସି ଅଣ୍ଡାଦାନ କରିଥାନ୍ତି। କଇଁଛ ମାନଙ୍କୁ ସୁରକ୍ଷିତ ଅଣ୍ଡାଦାନ ପାଇଁ ଏହି ସବୁ ଅଞ୍ଚଳରେ ଅନେକ କଟକଣା କରାଯାଇଛି। ଏମିତିକି ଟ୍ରଲର ଓ ଡଙ୍ଗା ଚଳାଚଳ ଉପରେ ନିଷେଧାଜ୍ଞା ଜାରୀ ରହିଛି। ବିଭିନ୍ନ ସ୍ଥାନରେ ବନବିଭାଗ, ପ୍ରଶାସନ ଓ ପୁଲିସ ପ୍ରଶାସନ ମିଳିତ ଭାବେ କ୍ଯାମ୍ପ କରି ପେଟ୍ରୋଲିଂ କରାଯାଉଛି। କୋଷ୍ଟଗାର୍ଡର ସହାୟତା ମଧ୍ୟ ନିଆଯାଇଛି। ମାତ୍ର ଏସବୁ କଟକଣା ସତ୍ତ୍ୱେ ଟ୍ରଲର ଓ ଡଙ୍ଗାର ଅବାଧ ଚଳପ୍ରଚଳ କଇଁଛ ଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶାସନର ସମସ୍ତ କଟକଣାକୁ ଫୁ କରିଦେଇଛନ୍ତି ଟ୍ରଲର ଓ ଡଙ୍ଗା ମାଲିକ। ଫଳରେ ସମୁଦ୍ରରେ ଅବାଧରେ ଟ୍ରଲର ଚଳାଚଳ କରିବା ଯୋଗୁଁ ଧକ୍କା ହୋଇକଇଁଛ ମୃତ୍ୟୁ ବରଣ କରୁଥିବା ଅନୁମାନ କରାଯାଉଛି। ତେବେ ସ୍ୱର୍ଗଦ୍ୱାର ନିକଟରୁ ଉଦ୍ଧାର ହୋଇଥିବା ମୃତ କଇଁଚ୍ଛଟି ସମୁଦ୍ର ଭିତରୁ ଭାସି ଆସିଥିବା ଉପସ୍ଥିତ ପର୍ଯ୍ୟଟକ ମାନେ କହିଥିବା ବେଳେ ବର୍ତ୍ତମାନ ବୁଲା କୁକୁର ମାନେ ଏହାକୁ ଝୁଣି ଖାଉଥିବା ନଜକୁ ଆସିଛି।