ଏନଏନଏସ୍: ଦିଲ୍ଲୀର ନବ ସରାୟ ଅଞ୍ଚଳରେ ଜଣେ ମହିଳା ନିଜ ଶାଶୁଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ୮୬ ବର୍ଷୀୟ ବୃଦ୍ଧା ହାସି ସୋମ ନବ ସରାୟ ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ଏକାକୀ ରହୁଥିଲେ । ହାସି ସୋମଙ୍କ ପୁଅ-ବୋହୂ ସେହି ଆପାର୍ଟମେଣ୍ଟର ଅନ୍ୟ ଏକ ଫ୍ଲାଟରେ ରହୁଥିଲେ । ବୃଦ୍ଧା ହାସି ସୋମଙ୍କ ପୁଅ ସୁରଜିତ୍ ଙ୍କ କହିବାନୁଯାୟୀ ତାଙ୍କ ମା’ ଦୀର୍ଘ ଦିନ ଧରି ଆର୍ଥାଇଟିସ୍ ରୋଗରେ ପୀଡ଼ିତ ଥିଲେ । ଯେଉଁ କାରଣରୁ ତାଙ୍କୁ ଚାଲିବା ମଧ୍ୟ କଷ୍ଟକର ହେଉଥିଲା । ଏନେଇ ସେ ୨୦୨୨ ରେ ମା’ଙ୍କୁ କଲିକତାରୁ ଦିଲ୍ଲୀକୁ ନେଇଆସିଥିଲେ ।
ମା’କୁ ଦିଲ୍ଲୀ ଆଣିବା ପରେ ସେ ରହୁଥିବା ଆପର୍ଟମେଣ୍ଟର ଅନ୍ୟ ଏକ ଫ୍ଲାଟରେ ରଖିଥିଲେ । ସେଠାରେ ମା’ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ମଧ୍ୟ ଲଗାଇଥିଲେ । କିନ୍ତୁ ଅନ୍ୟପଟେ ଶାଶୁ ପାଖକୁ ଆସିବାରେ ଖୁସି ନଥିଲେ ବୋହୂ । ବେଳେ ବେଳେ ଶାଶୁ-ବୋହୂଙ୍କ ମଧ୍ୟରେ ତିକ୍ତତା ଦେଖାଯାଇଥାଏ । ଏନେଇ ଗତ କିଛି ଦିନ ତଳେ ବୃଦ୍ଧା ମହିଳା ଜଣଙ୍କୁ ପିଟି ପିଟି ବୋହୂ ହତ୍ୟା କରିଛନ୍ତି । ପୋଲିସ୍ ସୂଚନା ଅନୁଯାୟୀ ଆପାର୍ଟମେଣ୍ଟରେ ବିଦ୍ୟୁତ ନଥିବାରୁ ମହିଳାଙ୍କ କୋଠରୀରେ ଲଗାଯାଇଥିବା ସିସିଟିଭିରେ ହତ୍ୟା ଦିନର କୌଣସି ଫୁଟେଜ୍ ନାହିଁ । କିନ୍ତୁ ପୋଲିସ୍ ଅନୁସନ୍ଧାନରେ ବୃଦ୍ଧ ମହିଳାଙ୍କ ନାତୁଣୀ କହିଛନ୍ତି, ପୂର୍ବରୁ ତାଙ୍କ ମା ଏବଂ ଜେଜେ ମାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ସୁରଜିତ୍ ମଧ୍ୟ କହିଛନ୍ତି, ବୃଦ୍ଧା ଅବସ୍ଥାରେ ମା’ କୁ ପାଖରେ ରଖିବାକୁ ଚାହୁଁନଥିଲେ ପତ୍ନୀ ।
ଅନ୍ୟପଟେ ସୁରଜିତ୍ ଙ୍କ ପତ୍ନୀ ବୃଦ୍ଧାଙ୍କ କୋଠରୀକୁ ଯିବା ଆସିବା କରୁଥିବାର ରେକଡିଂ ପୋଲିସ୍ ପାଇବା ପରେ ମହିଳାଙ୍କୁ ପଚରାଉଚରା କରିବାରୁ ଅଭିଯୁକ୍ତ ମହିଳା ଜଣକ ନିଜର ଦୋଷ ସ୍ୱିକାର କରିଛନ୍ତି । ଅଭିଯୁକ୍ତ ମହିଳା କହିଛନ୍ତି, ବିବାହ ପରେ ଶାଶୁ ମତେ ପସନ୍ଦ କରୁନଥିଲେ । ଏବେ ତାଙ୍କ ସେବା କରିବା ପାଇଁ ସୁରଜିତ୍ ମା’ଙ୍କୁ ଆମ ପାଖକୁ ଆଣିଛନ୍ତି । ଯାହା ମତେ ବିଲକୁଲ୍ ଭଲ ଲାଗୁନଥିଲା । ଏନେଇ ସେ ଶାଶୁଙ୍କୁ ୨୦ ରୁ ୨୫ ଥର ପ୍ରେସର କୁକୁରରେ ମାଡ ମାରିଥିଲେ । ଯାହାଫଳରେ ବୃଦ୍ଧା ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପଚରାଉଚରା ପରେ ପୋଲିସ୍ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ।