ରାତି ଅଧରେ ଘରେ ପଶି ଏକ ଦଳିତ ପରିବାର ଉପରେ ହୋଇଛି ଆକ୍ରମଣ ।ଜାତିଆଣ ଆକ୍ଷେପ କରି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପରିବାରର ସମସ୍ତଙ୍କୁ ମାଡ ମାରିଛନ୍ତି । ଏପରିକି ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି । ଦଳିତ ପରିବାରକୁ ଗାଁରେ ଭୟଭିତ କରାଇ ମାନସିକ ନିର୍ଯ୍ଯାତନା ଦିଆଯାଉଥିବା ଅଭିଯୋଗ ଆସିଛି ।ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ତିର୍ତୋଲ ବ୍ଲକ ମୂଳିସିଂ ପଞ୍ଚାୟତ ଖାନ୍ ଚନ୍ଦ୍ରପୁର ଗାଁରେ । ଏହି ଘଟଣାରେ ତିର୍ତୋଲ ପୋଲିସ ଗୋଟିଏ ମାମଲା ରୁଜୁ କରି ବସିଯାଇଛି । ପୋଲିସର ନିଷ୍କ୍ରିୟତା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
ଚନ୍ଦ୍ରପୁର ଗାଁର ନିରଞ୍ଜନ ସେଠୀ ତାଙ୍କ ପରିବାର ସହ ରୁହନ୍ତି । ଗତ ନଭେମ୍ବର ୨୭ ତାରିଖ ବିଳମ୍ବିତ ରାତିରେ ବଡସାରୋଳ ଗ୍ରାମର ନଟବର ସାହୁଙ୍କ ୩ ପୁଅ ନୀର ସେଠୀଙ୍କ ଘରେ ପଶି ତାଙ୍କ ସ୍ତ୍ରୀ ଏବଂ ବୋହୁକୁ ମାଡମାରିଥିଲେ । ନଟବରଙ୍କ ପୁଅ ସୁଶାନ୍ତ, ପ୍ରଶାନ୍ତ ଓ ସନ୍ତୋଷ ଜାତିଆଣ ଆକ୍ଷେପ କରି ନୀରଙ୍କ ପରିବାରକୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିଥିଲେ । ଘରେ ଥିବା ଟେବୁଲ ଚେୟାର ବାଡେଇ ଭାଙ୍ଗିବା ସହିତ ନିରଞ୍ଜନଙ୍କ ସ୍ତ୍ରୀର ଚୁଟିକୁ ଧରି ସୁଶାନ୍ତ ଟଣାଓଟରା କରି ତାକୁ ତଳେ ଫୋପାଡି ଦେଇଥିଲେ । ପରେ ସୁଶାନ୍ତ ନିରଞ୍ଜନଙ୍କ ବୋହୁକୁ ଅସଦାଚରଣ କରିଥିବା ନିରଞ୍ଜନ ତିର୍ତୋଲ ଥାନାରେ ଅଭିଯୋଗ କରିଥିଲେ । ନିରଞ୍ଜନଙ୍କ ଦୋକାନକୁ ମଧ୍ୟ ଭଙ୍ଗାରୁଜା କରିବା ସହ ତୋର ମୁଣ୍ଡକୁ କାଟି ଥାନାକୁ ନେବି ବୋଲି କହି ଧମକ ଦେଇଥିବା ଏତଲାରେ ଉଲ୍ଲେଖ ଅଛି । ସେହିଦିନ ରାତିରେ ପୀଡିତ ପରିବାର କନକପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଅନନ୍ୟୋପାୟ ହୋଇ ନିରଞ୍ଜନ ତିର୍ତ୍ତୋଲ ଥାନାକୁ ଯାଇ ଏତଲା ଦେଇଥିଲେ । ତିର୍ତୋଲ ପୋଲିସ ଏତଲା ବଳରେ ଆଇପିସି ୧୮୬୦ ରେ ଧାରା ୩୪୧,୩୨୩,୨୯୪,୪୨୭,୪୪୭,୩୫୪,୩୫୪(ବି),୫୦୬,୩୪,୩(୧)ଆର ୫,୩(୨)ଭିଏ)ଏସସି ଏସଟି (ପ୍ରିଭେନସନ ଅଫ ଆଟ୍ରୋସିଟଜ୍)୧୯୮୯ ଆଇନ ୨୦୧୫ ଆମେଣ୍ଡମେଣ୍ଟରେ ଏକ ମାମଲା ରୁଜୁ କରିଛି । ମାତ୍ର ଆସାମୀମାନଙ୍କୁ ଗିରଫ କରିବାରେ ତିର୍ତୋଲ ପୋଲିସ ଏ ପର୍ଯ୍ୟନ୍ତ ସକ୍ଷମ ହୋଇପାରି ନାହିଁ ।