ମୁମ୍ବାଇ ,୧୨.୦୪.୨୦୨୩ (ଏନଏନଏସ ଓଡ଼ିଆ) : ସୁପର୍ଷ୍ଟାର୍ ସଲମାନ ଖାନଙ୍କୁ ପୁଣି ମିଳିଛି ହତ୍ୟା ଧମକ । ନିକଟ ଅତୀତରେ ବଲିଉଡ ସୁପରଷ୍ଟାରଙ୍କୁ ଅନେକ ଧମକ ମିଳିସାରିଥିବାବେଳେ ପୁଣି ଥରେ ମିଳିଛି ହତ୍ୟା ଧମକ । ଗତକାଲି ରାତି ୯ଟା ବେଳେ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ୍ ଆସିଥିଲା। ପ୍ରଥମେ କିଏ କଲ୍ କରିଥିଲା ତାହା ଜଣାପଡ଼ିନଥିଲା।
ତେବେ ବର୍ତ୍ତମାନ ସୁଦ୍ଧା କଲ୍ କରିଥିବା ବ୍ୟକ୍ତିର ପରିଚୟ ମିଳିସାରିଛି। କଲର୍ ଜଣକ ଯୋଦ୍ଧପୁରର ଗୌରକ୍ଷକ ରକି ଭୋଇ ବୋଲି ଜଣାପଡିଛି । ସେ ଏପ୍ରିଲ ୩୦, ୨୦୨୩ରେ ସଲ୍ମାନ ଖାନଙ୍କୁ ହତ୍ୟା କରିବାର ଧମକ ଦେଇଛି। ଏହି କଲ୍ ପାଇବା ପରେ ମୁମ୍ବାଇ ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।
ବଲିଉଡ ଅଭିନେତା ସଲମାନ ଖାନ୍ଙ୍କୁ ଗତବର୍ଷ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ହତ୍ୟା ଧମକ ଦେଇଥିବା ବେଳେ ନିକଟ ଅତୀତରେ ପୁଣି ଥରେ ଧମକ ମିଳିଥିଲା। ନିକଟରେ ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଏକ ଇ-ମେଲ୍ରେ ଏହି ଧମକ ଦିଆଯାଇଥିଲା। ରୋହିତ ଗର୍ଗ ନାମକ ବ୍ୟକ୍ତିଙ୍କ ନିକଟରୁ ଉକ୍ତ ଇ-ମେଲ୍ ଆସିଥିଲା। ଏଥିରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସଂପର୍କରେ ଉଲ୍ଲେଖ ରହିଥିଲା।
ଏହା ପୂର୍ବରୁ ସିଦ୍ଧୁ ମୁସେୱାଲାର ହତ୍ୟାକାରୀ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ କହିଥିଲା ଯେ, “ସଲମାନ ଖାନଙ୍କୁ କ୍ଷମା ମାଗିବାକୁ ପଡ଼ିବ। ସେ ବିକାନେରରେ ଥିବା ଆମ ମନ୍ଦିରକୁ ଯାଇ କ୍ଷମା ମାଗିବା ଉଚିତ୍। ମୋ ଜୀବନର ଲକ୍ଷ୍ୟ ହେଉଛି ସଲମାନ ଖାନଙ୍କୁ ହତ୍ୟା କରିବା। ଯଦି ତାଙ୍କ ସୁରକ୍ଷା ହଟାଯାଏ ତେବେ ମୁଁ ସଲମାନ ଖାନଙ୍କୁ ହତ୍ୟା କରିବି। ଯଦି ସେ କ୍ଷମା ମାଗନ୍ତି, ତେବେ ବିବାଦ ଶେଷ ହେବ। ସଲମାନ ହେଉଛନ୍ତି ଅହଙ୍କାରୀ, ସିଦ୍ଧୁ ମୁସେୱାଲା ମଧ୍ୟ ସେପରି ଥିଲେ। ସଲମାନ ଖାନଙ୍କ ଅହଙ୍କାର ରାବଣଙ୍କଠାରୁ ବି ବଡ।”