ଫାଟିଲା ରନ୍ଧନ ଗ୍ୟାସ ଟାଙ୍କି | ହୁତୁ ହୁତୁ ହୋଇ ଜଳି ଉଠିଲା ନିଆଁ | ରୋଷେଇ ଘରୁ ନିଆଁ ବ୍ୟାପି ଚାରି ଆଡେ ମାଡି ଗଲା | ଏପରିକି ପଡୋଶୀ ଘରକୁ ମଧ୍ୟ ବ୍ୟାପି ଯାଇଥିଲା ନିଆଁ | ନିଜ ଜୀବନ ବଞ୍ଚାଇବାକୁ ବାପାମା ଏବଂ ପୁଅ ବାହାରକୁ ପଳାଇ ଆସିଥିଲେ ସୁଦ୍ଧା ଘରର କୌଣସି ସାମଗ୍ରୀ ଉଦ୍ଧାର କରିପାରିନଥିଲେ | ଏହି ଅଗ୍ନିକାଣ୍ଡ ଯୋଗୁ ୩ ପରିବାର ହୋଇଛନ୍ତି ସର୍ବସ୍ୱାନ୍ତ |
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲ ଅଧିନସ୍ଥ ସିରେଇଙ୍ଗ ପୁର ଗ୍ରାମରେ ହୋଇଛି ଏହି ଅଗ୍ନିକାଣ୍ଡ | ମନୋଜ ନାୟକଙ୍କ ଘରେ ତାଙ୍କ ମା କମଳୀ ରୋଷେଇ କରୁଥିବା ବେଳେ ଅସାବଧାନତଃ ନିଆଁ ଲାଗିଗଲା | ପରେ ଗ୍ୟାସ ସିଲିଣ୍ଡର ଜଳିବା ସହ ଫାଟିଗଲା l ହୁତୁ ହୁତୁ ହୋଇ ନିଆଁ ଜଳିବା ଫଳରେ ମନୋଜ ତାଙ୍କ ଶ୍ରବଣ ବାଧିତ ମା ଓ ମସ୍ତିଷ୍କ ବିକୃତ ପିତା ବାମଦେବଙ୍କୁ ବାହାରକୁ ପଳାଇ ଆସିଥିଲେ l କିଛି ସମୟ ପରେ ନିଆଁ ବ୍ୟାପିବାରୁ ପଡୋଶୀ ମକର, ଦୁଃଶାସନ, ଦୁର୍ଯ୍ୟୋଧନ, କୈଳାସ ଓ ଶଙ୍କର ନାୟକଙ୍କ ଘରକୁ ବ୍ୟାପିଥିଲା l ଅଗ୍ନିକାଣ୍ଡ ଫଳରେ ମନୋଜଙ୍କ ଘରେ ଥିବା ସମସ୍ତ ଆସବାବପତ୍ର ଏବଂ କାଗଜପତ୍ର ଜଳିପୋଡ଼ି ଯାଇଛି | ଫଳରେ ମନୋଜଙ୍କ ଭିନ୍ନକ୍ଷମ ପରିବାର ସର୍ବଶାନ୍ତ ହୋଇଥିବା ବେଳେ ପଡୋଶୀମାନେ ହୋଇଛନ୍ତି ବାସହରl l ଖବର ପାଇ ମାର୍ଶାଘାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଛି | ତିଖିରି ସର୍କଲ ଆରଆଇ ଲୋପାମୁଦ୍ରା ସାହୁ, ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାସ ଓ ରାଜସ୍ବ ନିରୀକ୍ଷକ ଆସି କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି l