ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଆଣ୍ଡାମାନ ସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ । ଏହାପରେ ଅବପାତ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ୮ ତାରିଖରେ ବାତ୍ୟା ସୃଷ୍ଟି ହେଲେ ତାହା ୧୦ ସୁଦ୍ଧା ଉପକୂଳ ଛୁଇଁପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଗତ ୪ ତାରିଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏକ ଲଘୁଚାପ କ୍ଷେତ୍ର ଭାବେ ସୃଷ୍ଟି ହୋଇଛି । ତେଣୁ ଆଜି ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇପାରେ । ଏହା କେତେ ଘନୀଭୂତ ହେବ, କେଉଁ ଦିଗରେ ଗତି କରିବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ଆଜି ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼, ଗଂଜାମ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଆଜି ୨୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ଆଜି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ଲଘୁଚାପ ପ୍ରଭାବରେ ୪୦ରୁ ୫୦ କିଲୋମିଟର ବେଗରେ ବହୁଛି ପବନ ।