ବାତ୍ୟା ଜୱାଦ ଆସିବା ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜୱାଦ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ତାଣ୍ଡବ ରଚିବାର ସମ୍ଭାବନା ଥିବାରୁ ଦୁଇ ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି । ଏହି ସତର୍କତା ଦେଖି ଭାରତୀୟ ରେଳ ବିଭାଗ ୯୫ ଟ୍ରେନ୍କୁ ବାତିଲ କରିଛି । ବାତ୍ୟାର ବିପଦକୁ ଦେଖି ଇଷ୍ଟକୋଷ୍ଟ ରେଲୱେ ଦ୍ୱାରା ପରିଚାଳିତ ଏବଂ ଏହି ଦୁଇ ରାଜ୍ୟରେ ଚଳାଚଳ କରୁଥିବା ଅପ୍ ଆଣ୍ଡ ଡାଉନ୍କୁ ମିଶାଇ ମୋଟ ୯୫ ଟ୍ରେନ୍କୁ ବାତିଲ କରିଛି । ଇଷ୍ଟକୋଷ୍ଟ ରେଲୱେର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ବିଶ୍ୱଜିତ୍ ସାହୁ କହିଛନ୍ତି ଯେ, ଜୱାଦର ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି ଏହିସବୁ ଟ୍ରେନ୍ ବାତିଲ କରାଯାଇଛି । ୩ ଓ ୪ ତାରିଖ ଦୁଇ ଦିନ ପାଇଁ ସେହି ସବୁ ଅଞ୍ଚଳ ପାଇଁ ଟ୍ରେନ୍ ବାତିଲ କରାଯାଇଛି । ଆମେ ଗଣମାଧ୍ୟମ, ସୋସିଆଲ ମିଡିଆ ଦ୍ୱାରା ଲୋକଙ୍କୁ ଜଣାଇବା ପାଇଁ ଚେଷ୍ଟା କରୁଛୁ । ସ୍ଥିତି ଗମ୍ଭୀର ହେଲେ ଆଉ କିଛି ଟ୍ରେନ୍ ବାତିଲ କରାଯାଇପାରେ ବୋଲି ସେ କହିଛନ୍ତି ।