ପାଣିରେ ଭାସୁଛି ପାଚିଲା ଧାନ । ଅମଳ ବେଳକୁ ‘ଜୱାଦ୍’ ମାଡ଼ । ଚାଷୀ ପରିବାର ମୁହଁରୁ ବର୍ଷକର ଦାନା ଛଡେଇ ନେଇଛି ଜଓ୍ବାଦ । ଚାରିଆଡେ ଖାଲି ପାଣି ଆଉ ପାଣି । କ୍ଷେତରେ ପାଣି ଭର୍ତି । କେଉଁଠି ଫସଲ ସ˚ପୂର୍ଣ୍ଣ ବୁଡ଼ିଯାଇଛି ତ’ କେଉଁଠି ମୂଳ ନଇଁଯାଇଥିବାରୁ ଧାନ କେଣ୍ତା ଉପରେ ପାଣି ଚାଲିଛି। ଜୱାଦ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଚାଷୀଙ୍କ ପାଇଁ ଦୁଃଖ ଆଣିଦେଇଛି । ଧାନ ଓ ପନିପରିବା କ୍ଷତି ସହିନପାରି ପାତ୍ରପୁର ଅଂଚଳରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଉଲୁମା ଗାଁର ୫୫ ବର୍ଷୀୟ ଚାଷୀ କୈଳାସ ଶବର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା କହିଛନ୍ତି ତାଙ୍କ ପରିବାର । ଟି. ନାମେଶ୍ୱର ପାତ୍ରଙ୍କ ପ୍ରାୟ ୨ ଏକର ଜମିରେ ଧାନ ଓ ପାଖାପାଖି ୧ ଏକର ଜମିରେ କାଙ୍କଡ, ଟମାଟୋ ଓ ବାଇଗଣ ଭଳି ପରିବା ଚାଷ କରିଥିଲେ । ଋଣ କରି ଏସବୁ ଚାଷବାସ କରିଥିବାବେଳେ ଫସଲ କ୍ଷତି ଯୋଗୁଁ କେମିତି ଋଣ ଶୁଝିବେ, ସେହି ଚିନ୍ତାରେ ଚରମ ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ପରିବାର ଲୋକ ।
ସେହିଭଳି ବାତ୍ୟା ‘ଜୱାଦ୍’ କେନ୍ଦ୍ରାପଡା ଜିଲ୍ଲା ସାନଜରିଆ ପଞ୍ଚାୟତର ଭାତହାଣ୍ଡି କୁହାଯାଉଥିବା ପାଚିଲା ଧାନକ୍ଷେତ ଏବେ ଉଜୁଡି ଦେଇଛି । ସରକାରୀ ରିପୋର୍ଟ ଅନୁସାରେ ସାରା ଜିଲ୍ଲାରେ ୩୨୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ରାଜନଗରରେ ସର୍ବାଧିକ ୬୫ ମିଲିମିଟର ବର୍ଷା ଗତକାଲି ରାତିରେ ହୋଇଛି । ଆଜି ଏହି ବର୍ଷାର ପରିମାଣ ବହୁଗୁଣିତ ହୋଇଛି । ଏବେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମାହୋଇରହିଛି ଚାଷୀର ଧାନକ୍ଷେତରେ । ଧାରକରଜ କରି ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିବା ଚାଷୀର ମାନସିକତା ବିଗିଡିବାକୁ ଯାଉଛି । ଆଖିଆଗରୁ ବର୍ଷକର ଆହାର ଛଡେଇ ନେଉଛି ପ୍ରକୃତି । ଏବେ ଚାଷୀମାନଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ବସିଛି । କୃଷିଋଣ ଛାଡ, କୃଷି ବୀମା ଦେବା, କୃଷି ସହାୟତା ଯୋଗାଇବା ଏବେ ସରକାରଙ୍କର ପ୍ରାଥମିକ ବିଚାର ନ ହେଲେ ଚାଷୀ ମୁଣ୍ଡରେ ଚଡକ ପଡିବାପରି ପରିସ୍ଥିତି ସୃଷ୍ଟି ହେବ ।