ଭୁବନେଶ୍ଵର : କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ୭ଜଣ ସାଇବର୍ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ ଗିରଫ କରିବା ସମୟରେ ସେମାନଙ୍କ ଠାରୁ ୧୫୦ ମୋବାଇଲ୍, ୧୬ ହଜାରରୁ ଉର୍ଦ୍ଧ୍ଵ ସିମ୍ କାର୍ଡ ଜବତ କରାଯାଇଛି । ସେମାନେ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜରିଆରେ ଅପରାଧିକ କାର୍ଯ୍ୟ କରୁଥିଲେ । ବିପୁଳ ପରିମାଣର ସିମକାର୍ଡ଼ ସହ ଏଟିଏମ ଓ ପାସବୁକ ଜବତ କରିଛି ପୋଲିସ । ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ସହିଦନଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ସିମ୍ କାର୍ଡ ଲକ୍ ହୋଇଯିବା କହି ଲିଙ୍କ୍ ପଠାଇଥିଲେ । ମହିଳା ଜଣଙ୍କ ଲିଙ୍କରେ ସବସ୍କ୍ରାଇବ କରିବା ମାତ୍ରେ ଆକାଉଣ୍ଟରୁ ଚାଲିଯାଇଥିଲା ୫ ଲକ୍ଷ ଟଙ୍କା । ଏହାପରେ ସାଇବର ସେଲ୍ ରେ ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ଅଧାରରେ ସାଇବର ସେଲ୍ ତଦନ୍ତ ଆରମ୍ଭ କରିଥିଲା । ୪ଟି ଟିମ୍ ଗଠନ କରାଯାଇ ୪ଟି ସ୍ଥାନରେ ରେଡ୍ କରାଯାଇଥିଲା । ଚଢାଉ ପରେ ୭ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ଥିବା ମଧ୍ୟ ସୂଚନା ମିଳିଛି ।